ବୃଥା ହେଲା ନ୍ୟୁଜିଲାଣ୍ଡର ବୃହତ ସ୍କୋର, ଡିଏଲରେ ପାକିସ୍ତାନ ବିଜୟୀ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ବିଶ୍ୱକପ କ୍ରିକେଟରେ ଶନିବାର ଡକ୍ୱୱର୍ଥ ଲୁଇସ ନିୟମରେ ପାକିସ୍ତାନ ୨୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ ବିନିମୟରେ ୪୦୧ ରନର ବିଶାଳ ସ୍କୋର କରିଥିଲା । ଦିନିକିଆରେ ନ୍ୟୁଜିଲାଣ୍ଡର ଏହା ଦ୍ୱିତୀୟ ସର୍ବାଧିକ ସ୍କୋର । ରଚୀନ ରବୀନ୍ଦ୍ର ୧୦୮ ଓ କେନ ୱିଲିୟମସନ ୯୫ ରନ କରିଥିଲେ । ଗ୍ଲେନ ଫିଲିପ୍ସ ଶେଷ ଭାଗରେ ଦ୍ରୁତ ୪୧ ରନ ସଂଗ୍ରହ କରିଥିଲେ । ରଚୀନ ବିଶ୍ୱକପରେ ସର୍ବକନିଷ୍ଠ ଖେଳାଳି ଭାବେ ଦ୍ରୁତ ୫୦୦ ରନ କରିଛନ୍ତି । ଏହା ବ୍ୟତୀତ ସେ ବିଶ୍ୱକପରେ ୨୪ ବର୍ଷ ବୟସରେ ୩ ଶତକ ମାରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ୨ଟି ଶତକ ମାରିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୩ଟି ୱିକେଟ ଅକ୍ତିଆର କରିଥିଲେ ।

୪୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଫକର ଜମାନ ଓ ବାବର ଆଜାମ ୨୫.୩ ଓଭରରେ ଦଳର ସ୍କୋରକୁ ୧ ୱିକେଟ ବିନିମୟରେ ୨୦୦ରେ ପଂହଚାଇ ଦେଇଥିଲେ । ଫକର ୮୧ ବଲରେ ୧୨୬ ଓ ବାବର ୬୩ ବଲରେ ୬୬ ରନ କରି ଅପରାଜିତ ରହିଥିଲେ । ବର୍ଷା ଯୋଗୁ ପାକିସ୍ତାନକୁ ପ୍ରଥମେ ୪୧ ଓଭରରେ ୩୪୨ ରନର ରିଭାଇଜଡ ଟାର୍ଗେଟ ଦିଆଯାଇଥିଲା । ଏହା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବାକୁ ଆସି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ।

ପୁନର୍ବାର ବର୍ଷା ହେବାରୁ ମ୍ୟାଚ ବନ୍ଦ ରଖା ଯାଇଥିଲା । ଆବଶ୍ୟକ ସମୟ ସୀମା ପୂରଣ ହେଲା ବେଳକୁ ପାକିସ୍ତାନ ଡିଏଲ ନିୟମରେ ୨୧ ରନରେ ଅଗ୍ରଣୀ ରହିଥିବାରୁ ବିଜୟୀ ଘୋଷିତ କରାଯାଇଥିଲା । ପାକିସ୍ତାନ ଏଥିସହ ୮ ମ୍ୟାଚରୁ ୮ ପଂଏଟ ହାସଲ କରି ପଂଏଟ ଟେବୁଲରେ ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ପରାଜୟ ଯୋଗୁ ନ୍ୟୁଜିଲାଣ୍ଡ ୮ ମ୍ୟାଚରୁ ୮ ପଂଏଟ ସହ ୪ର୍ଥ ସ୍ଥାନରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.