ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ବିଦ୍ୟାପତି ପଣ୍ଡା ଯୋଗ ଦେଇ ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟର ସାମ୍ବାଦିକ ବନ୍ଧୁ ମାନଙ୍କ ସ୍ଵାର୍ଥ ପ୍ରତି ସର୍ବଦା ଧ୍ୟାନଦେଇ ତାଙ୍କର ସର୍ବନିମ୍ନ ଆବଶ୍ୟକତା କୁ ପୁରଣ ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଯୋଗୁଁ ସଂଘକୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ରେ ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର ଯୋଗଦେଇ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ସରକାର ଶିଘ୍ର ବିଲ୍ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲୀପ ପାତ୍ର, ନୀଲକମଲ ମିଶ୍ର, ରାଜ୍ୟ ସାଂଗଠାନିକ ସାଧାରଣ ସମ୍ପାଦକ ରାଜକିଶୋର ତ୍ରିପାଠୀ ପ୍ରମୁଖ ରାଜ୍ୟସରକାର ବିଭିନ୍ନ ସମୟରେ ସାମ୍ବାଦିକଙ୍କ ପାଇଁ ଘୋଷଣା କରିଥିବା ସୁବିଧା ସୁଯୋଗ କୁ କାର୍ଯ୍ୟକାରୀ କରିବା ଉପରେ ସରକାରୀ ସ୍ତରରେ ଦୃଢିଭୁତ କରିବା ସଂପର୍କରେ ମତ ରଖିଥିଲେ। ସଭାରେ ସଂଘ ଉପଦେଷ୍ଟା ତଥା ଜିଲ୍ଲା ର ବୟୋଜ୍ୟାଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପଧାନ ଓ ସ୍ବର୍ଗତ ସାମ୍ବାଦିକ ଗୋପାଳ ମିଶ୍ରଙ୍କ ଧର୍ମପତ୍ନୀଙ୍କୁ ସଂଘ ପକ୍ଷରୁ ଆଜୀବନ ବିଧବା ମାସିକ ପେନସନ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ମିଶ୍ର, ଯୁଗଳ କିଶୋର ମିଶ୍ର, କିଶୋର ହୋତା, ଭାସ୍କର ବାବୁ ଶ୍ରଦ୍ଧାକର ଦାଶ, ଆର୍ତ୍ତତ୍ରାଣ ମିଶ୍ର, ମୁକେଶ ବଗର୍ତି, ମୁରଲୀଧର ସାହୁ, ସଦାଶିବ ପଧାନ, ସଂଜୀବ ମେହେର, ରଞ୍ଜନ ହୋତା ପ୍ରମୁଖଙ୍କ ସହ ତରଭା, ଉଲୁଣ୍ଡା, ବୀରମହାରାଜପୁର, ଡୁଙ୍ଗୁରିପାଲି ବିନିକା ଓ ସୋନପୁର ବ୍ଲକର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ଶାଖା ସଂପାଦକ ମହାଦେବ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।