ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଜାତୀୟ ଗୌରବ ଦିବସ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସମାନ୍ତରାଳ ଭାବେ ଆରମ୍ଭ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସଂକଳ୍ପ ଯାତ୍ରାର ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବ। ଯାତ୍ରା ଅବସରରେ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯିବ। ସଚେତନତା ରଥରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯିବ। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ଯାତ୍ରା ଆରମ୍ଭ ହୋଇଛି। ସେହି କ୍ରମରେ ଶୁକ୍ରବାର ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଖମନପଡାଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡ଼ିଓ ଏମ୍ ଜଗଜ୍ଜିବନ ଚୌଧରୀ, ତହସିଲଦାର ବିଶ୍ବ ରଞ୍ଜନ କହଁର, ପିଏ ପ୍ରଣାମ ଅଧିକାରୀ ଦିବ୍ୟା ନିବେଦିତା ପଧାନ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସମିତି ସଭ୍ୟା ସୁଜାତା ସାହୁ, ଜିଲ୍ଲା ନୋଡାଲ ଅଫିସର ଦିଲିପ କୁମାର ପାତ୍ର, ଡ୍ରୋଲ ଅଫିସର, ନର୍ଲା ମେଡିକାଲ ଅଫିସର ଅକ୍ଷୟ କୁମାର ଗୋଚ୍ଛାୟତ ପ୍ରମୁଖ ମଞ୍ଚାସୀନ ରହି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଶୁଭାରମ୍ଭ ହୋଇଛି । ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହୋଇଛି ଏବଂ ଏହା ୨୫ ଜାନୁଆରି ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ। ତେବେ ନର୍ଲା ବ୍ଲକରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ କ୍ଷୁଦ୍ର ନାଟକ ସମେତ ବିଭିନ୍ନ ସାଂସ୍କୃତିକ ଓ ଜନସଚେତନତା ମୂଳକ ନୃତ୍ୟ ସଙ୍ଗୀତ ପରିବେଷିତ ହୋଇଥିଲା। ପୂର୍ବରୁ ଗାଡେବନ୍ଧ ପଞ୍ଚାୟତର ୬ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ବଚ୍ଛ ବିଦ୍ୟାଳୟ ଶିର୍ଷକ ଚିତ୍ରାଙ୍କନ ଓ ସ୍ବଚ୍ଛ ଭାରତ ଶିର୍ଷକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ କୃଷି, ଉଦ୍ୟାନ କୃଷି, ସ୍ବାସ୍ଥ୍ୟ ପରି ଅନେକ ବିଭାଗର ଷ୍ଟଲ ଲାଗିଥିଲା। ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ କାର୍ଯ୍ୟକ୍ର ପରିଚାଳନା କରିଥିବାବେଳେ ଏଥିରେ ଗାଡେବନ୍ଧ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।