ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲୁଥିବା ଜିଲ୍ଳାସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀର ଉଦଯାପନୀ ଦିବସ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡିଶା ଡାକ ପରିମଣ୍ଡଳର ଡାକ ସେବା ନିର୍ଦ୍ଦେଶକ ସୁଶ୍ରୀ ସୁଚୀସ୍ମିତା ସ୍ୱାଇଁ ଯୋଗ ଦେଇଥିଲେ । ଏଥିସହ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ଡାକ ଲେଖା କାର୍ଯ୍ୟାଳୟର ନିର୍ଦ୍ଦେଶକ ରିଜୱାନ୍ ଅହମ୍ମଦ ଓ ରେଳ ଡାକ ସେବା କଟକର ବରିଷ୍ଠ ଡାକ ଅଧୀକ୍ଷକ ଅପରାଜିତା ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ଓଡିଶାର ସୁନାମଧନ୍ୟ ଫିଲଟେଲିଷ୍ଟ ଶାନ୍ତିସୂରପ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଆଜିର ଦିନରେ ଡାକ ବିଭାଗର ପାରଦର୍ଶିତା ତଥା ଉପାଦେୟତା ଉପରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନେ ଆଲୋକପାତ କରିଥିଲେ । ଏତଦ୍ବ୍ୟତୀତ ଫିଲାଟେଲିର ଜୀବନ ଦର୍ଶନରେ ଆବଶ୍ୟକତା ବିଷୟରେ ମୁଖ୍ୟବକ୍ତା ଶ୍ରୀ ରଥ କାର୍ଯ୍ୟକ୍ରମରେ ବିସ୍ତୃତ ସୂଚନାର ଅବତାରୂପି କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଦର୍ଶନୀରେ ଭାଗ ନେଇଥିବା କୃତି ଫିଲାଟେଲିଷ୍ଟ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମ ଦିନରେ କରାଯାଇଥିବା ଚିତ୍ରାଙ୍କନ,କୁଇଜ ଓ ପତ୍ର ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଥିଲା । ଦୁଇ ଦିନିଆ ଡାକ ଟିକଟ ପ୍ରଦର୍ଶନୀରେ ସମଗ୍ର ଓଡିଶାର ୫୦ଜଣ ଫିଲାଟେଲିଷ୍ଟ ୧୨୦ଟି ଫ୍ରେମରେ ନିଜର ସଂଗୃହିତ ମୂଲ୍ୟବାନ, ବହୁ ପୁରାତନ ତଥା ଐତିହାସିକ ଡାକ ଟିକଟ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡା ଡାକ ଅଧୀକ୍ଷକ ମୀନକେତନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଅଧୀକ୍ଷକ ଜବାହାର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଶେଷ ଭାବେ ଆସିଥିବା ବ୍ରହ୍ମପୁର ରିଜିୟନର ସହ ନିର୍ଦ୍ଦେଶକ ସୁଜିତ ମହାରଣା ଓ ଓଡିଶା ଡାକ ପରିମଣ୍ଡଳ ମୁଖ୍ର କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ବ.ମହେଶ୍ୱର ରାଓ କାର୍ଯ୍ୟକ୍ରମର ସଂପଳ ରୂପାୟନ ପାଇଁ ସୂଚାରୁ ମାର୍ଗଦର୍ଶନ କରିଥିଲେ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନା କରିବାରେ ଡାକ ବିଭାଗର ସ୍ଥାନୀୟ କର୍ମଚାରୀ ତଥା ଓଡିଶାର ବିଭିନ୍ନ ଫିଲାଟେଲିଷ୍ଟ ମାନେ ସହଯୋଗ କରିଥିଲେ ।