ରାୟଗଡା ଉପଖଣ୍ଡରେ ଧାନମଣ୍ଡିର ଶୁଭାରମ୍ଭ ପାଇଁ ଗଡିଲା ପ୍ରଚାର ରଥ

୪ଟି ବ୍ଳକର ୧୧ଟି ମଣ୍ଡିରେ ହେବ ଧାନକ୍ରୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ୨୦୨୩-୨୪ ଖରିଫ ଋତୁ ନିମନ୍ତେ ଆସନ୍ତା ଡିସେମ୍ବର ୨୦ ତାରିଖ ବୁଧବାର ଦିନ ରାୟଗଡା ଉପଖଣ୍ଡର ରାୟଗଡା, କୋଲନରା, କଲ୍ୟାଣସିଂହପୁର ଓ କାଶିପୁର ବ୍ଳକରେ ଧାନ କ୍ରୟ କରାଯିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ନିୟନ୍ତ୍ରୀତ ବଜାର କମିଟି ଆରଏମସି ୟାର୍ଡ ପରିସରରେ ବୁଧବାର ଏକ ପ୍ରଚାର ରଥର ଶୁଭ ଉଦଘାଟନ କରାଯାଇଥିଲା। ରାୟଗଡା ନିୟନ୍ତ୍ରୀତ ବଜାର କମିଟି ଅଧ୍ୟକ୍ଷା ତଥା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂଜାର୍ଚ୍ଚନା ପୂର୍ବକ ସବୁଜ ପତାକା ଦେଖାଇ ପ୍ରଚାର ରଥର ଶୁଭ ଉଦଘାଟନ କରିଥିଲେ। ଏଥିରେ ରାୟଗଡା ଆରଏମସି ସଂପାଦକ ବିପିନ ବିହାରୀ ସ୍ୱାଇଁଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଆସନ୍ତା ଡିସେମ୍ବର ୨୦ତାରିଖରୁ ରାୟଗଡା ବ୍ଳକର ରାୟଗଡା ଲ୍ୟାମ୍ପ ଓ ରାୟଗଡା ଆରଏମସି ୟାର୍ଡ ଏବଂ ଜେମାଦେଇପେଣ୍ଠ ଲ୍ୟାମ୍ପସ୍ ଗୋଦାମ ପରିସର ମଣ୍ଡିରେ ସୋମବାର, ଶନିବାର, ଶୁକ୍ରବାର ଓ ମଙ୍ଗଳବାରରେ ଧାନ କ୍ରୟ କରାଯିବାକୁ ସ୍ଥିର ହୋଇଥିବା ବେଳେ କୋଲନରା ବ୍ଳକର କୋଲନରା ଲ୍ୟାମ୍ପ ଏବଂ ଲେକାପାଇ ଆରଏମସି ୟାର୍ଡ, ମୁକୁନ୍ଦପୁର ହାଟପଦା ପରିସର, ଥେରୁବାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସର ମଣ୍ଡିରେ ଧାନ କ୍ରୟ କରାଯିବ। ସେହିପରି କଲ୍ୟାଣସିଂହପୁର ବ୍ଳକରେ କଲ୍ୟାଣସିଂହପୁର ଲ୍ୟାମ୍ପ ଏବଂ କଲ୍ୟାଣସିଂହପୁର ପୂର୍ତ ବଙ୍ଗଳା ପ୍ରାଙ୍ଗଣ, ବୁଡାଗୁଡା ଆରଏମସି ୟାର୍ଡ (ମାଝିଗୁଡା) ଓ ବୁଡାଗୁଡା ଆରଏମସି ୟାର୍ଡ ଏବଂ କାଶିପୁର ବ୍ଳକର କାଶିପୁର ଓ ଟିକିର ଲ୍ୟାମ୍ପ ସହ କାଶିପୁର କ୍ୟାମ୍ପସ ଓ ଟିକିରି ଲ୍ୟାମ୍ପସ ପରିସରରେ ଥିବା ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ଚଳିତ ବର୍ଷ ଗୁଣ ଓ ମାନକୁ ନେଇ ସରକାର ଏଫ ଏ କ୍ୟୁ ଧାନର ମୂଲ୍ୟ ନିର୍ଦ୍ଧାରିତ କରିଛନ୍ତି। ସାଧାରଣ କିସମ ଧାନ କୁଇଂଟାଲ ପିଚ୍ଛା ୨୧୮୩ଟଙ୍କା ଏବଂ ଗ୍ରେଡ୍‌’ଏ’କିସମ ଧାନ କୁଇଂଟାଲ ପିଚ୍ଛା ୨୨୦୩ଟଙ୍କା ରହିଛି। ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ପାଇଁ ଆରଏମସି ରାୟଗଡା ତରଫରୁ ସୁବ୍ୟବସ୍ଥା କରାଯାଇଥିବା ବେଳେ ଧାନ ବିକ୍ରୟ ବେଳେ ଠକ ଦଲାଲର ଶିକାର ନ ହେବା, ସହାୟକ ମୂଲ୍ୟ ଠାରୁ କମ ଦରରେ ଧାନ ବିକ୍ରି ନ କରିବା, ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କାର ମାନର ଧାନ ମଣ୍ଡିକୁ ଆଣିବା, ନିମ୍ନମାନର ଧାନ କ୍ରୟ କରାଯିବ ନାହିଁ ବୋଲି ପ୍ରଚାର ରଥରେ ସଚେତନତା କରାଯିବ ବୋଲି ଆରଏମସି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.