କଲମପୁର ଅମୋହାମଣି କଲେଜରେ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସମାଜସେବୀ ଓ ଭବିଷ୍ୟତର ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଲମପୁର ଅନ୍ତର୍ଗତ କଲମପୁର ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ କଲମପୁର ବଜାର ପଡ଼ିଆ ଠାରେ ବୁଧବାର ଦିନ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ଯାଏ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଗୁଡିକ ଆୟୋଜିତ ହେବ। ଆମୋହ ମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ କଲମପୁର ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୋନାଲି ପଣ୍ଡା, କଲମପୁର ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ବିଶ୍ଵାଳ, ଅଧ୍ୟାପକ ନୃସିଂହ ଚରଣ ସାହୁ ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗଦେଇ ନିଶା ନିବାରଣ, ଯୌତୁକ ପ୍ରଥା, ବାଲ୍ୟ ବିବାହ ସଂପର୍କରେ ବାକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ କଲମପୁର ନିର୍ମାଲ୍ୟ କ୍ଷେତ୍ର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାମାଜିକ ସଚେତନତା ବାର୍ତ୍ତା ସହ ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରିଥିଲେ।ଆଜି ଠାରୁ ନିୟମିତ ଭାବେ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବନ୍ଧ, କବିତା, ଚିତ୍ରାଙ୍କନ, ବ୍ୟଙ୍ଗଚିତ୍ର, ଗୀତ, ନୃତ୍ୟ, ଲୋକ ନାଟକ, ଝୋଟି, ରଙ୍ଗୋଲି ଇତ୍ୟାଦି କାର୍ଯ୍ୟକ୍ରମ ହେବା ପାଇ ସ୍ଥିରକୃତ ହୋଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଅଧ୍ୟାପକ ଧନୁଞ୍ଜୟ ପଣ୍ଡା କରିଥିବା ବେଳେ ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ନିଶା ନିବାରଣ ଉପରେ ଏକ ସଚେତନମୁଳକ ନାଟକ ପରିବେଷଣ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.