ମାଣ୍ଡିବିସିରେ ଲାଗିଲା ମାଓବାଦୀଙ୍କ ପୋଷ୍ଟର ବ୍ୟାନର

ଖଣି ଖନନ ଓ ବିସ୍ଥାପନ ବିରୋଧରେ ସଶସ୍ତ୍ର ପ୍ରତିରୋଧ ଆନ୍ଦୋଳନ ପାଇଁ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାଓ ପ୍ରବଣ ରାୟଗଡା ଜିଲ୍ଳାର କାଶିପୁର ବ୍ଳକ ମାଣ୍ଡିବିସି ଗ୍ରାମର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବଗଛ ଠାରେ ସିପିଆଇ ମାଓବାଦୀ ବଂଶଧାରା-ଘୁମସର-ନାଗାବଳୀ (ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଛି ମାଓ ପୋଷ୍ଟର ଓ ବ୍ୟାନର। ମା, ମାଟି, ଜୀବନ ଜୀବିକା, ସଂସ୍କୃତି, ପରିବେଶ ଓ ପ୍ରାକୃତିକ ସଂପତିର ସୁରକ୍ଷା ପାଇଁ ଏକଜୁଟ ହେବା, ଖଣି ଖନନ ଓ ବିସ୍ଥାପନ ବିରୋଧରେ ସଶସ୍ତ୍ର ପ୍ରତିରୋଧ ଆନ୍ଦୋଳନ କରିବା, ପୋଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରିବା ଏବଂ କମ୍ପାନୀ ଦଲାଲଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ଉଲ୍ଳେଖ କରାଯାଇଛି। ପୋଲିସ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ସ୍ଥାନରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି। ସରକାର ଓ କମ୍ପାନୀ ଘୋଷଣା କରିଛନ୍ତି ଯେ, ସିଜିମାଳି, ମାଂଜିଗମାଳି ଓ କୁଟ୍ରୁମାଳିରେ ଖଣିଖନନ ହେଲେ ୨୭୪ଜଣ ଲୋକଙ୍କୁ କାମ ମିଳିବ। କଂସାରିଗୁଡା କାରଖାନା ହେଲେ ଏକ ହଜାର ଲୋକଙ୍କୁ କାମ ମିଳିବ। କିନ୍ତୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବେ ପାଖାପାଖି ଦୁଇଶହ ଗ୍ରାମର ୩ହଜାରରୁ ଉର୍ଦ୍ଧ ପରିବାର। ତାହା ହେଲେ ବାକି ଲୋକେ କିପରି ବଂଚିବେ। ଏହି ସବୁ ମାଳିରୁ ବାହାରୁଥିବା ନୀଦ ଉପରେ ନିର୍ଭର କରି ବଂଚୁଥିବା ଲକ୍ଷାଧିକ ଲୋକେ, ଜୀବଜନ୍ତୁ, ଗାଇଗୋରୁଙ୍କ ସ୍ଥିତି କଣ ହେବ। ପ୍ରଦୁଷଣ ଯୋଗୁଁ ଆଖପାଖ ଅଂଚଳରେ ଫସଲ ଭଲ ଫଳିବନି। ଚାଷୀ କିପରି ବଂଚିବେ। ଏସବୁ ନିଯୁକ୍ତି ସ୍ଥାନୀୟ ଲୋକଙ୍କୁ ମିଳବି କି। ଖଣି ଖନନ ହେଲେ ଅଂଚଳ ଓ ଜିଲ୍ଳାବାସୀଙ୍କୁ ଫାଇଦା କମ୍‌, କ୍ଷତି ବେଶି ହେବ ବୋଲି ଉଲ୍ଲେଖ ରହିଛି। ସେହିପରି ବିଜେଡି ସରକାର ଗତ ୧୦ବର୍ଷ ଭିତରେ କମ୍ପାନୀ ହେଲେ ୭ଲକ୍ଷ ୫୦ହଜାର ଲୋକଙ୍କୁ କାମ ମିଳିବ ବୋଲି ଘୋଷଣା କରିଥିଲେ ହେଲେ ଏବେ ସୁଦ୍ଧା ୭ହଜାର ଲୋକ ହିଁ କାମ ପାଇଛନ୍ତି। ଖଣି ଖନନ ହେଲେ ଦାଦନ ଯିବା କମି ନାହିଁ ବରଂ ଦାଦନ ବଢିଛି। ବେଦାନ୍ତ, ଆଦାନୀ, ବିର୍ଲା, ମୈତ୍ରୀ ଆଦି ଲୁଟେରା କମ୍ପାନୀର ଗୁଣ୍ଡା ସାଜି ଅଂଚଳରେ ଦମନରାଜ ଚଳାଇଛନ୍ତି। ୩୧ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିସାରିଲେଣି। ନିୟମଗିରି ଆନ୍ଦୋଳନର ୯ନେତାଙ୍କ ଉପରେ ଦେଶଦ୍ରୋହ କେଶ ପକାଇଛି। ବିଜେଡି, ବିଜେପି, କଂଗ୍ରେସ, ବିଏସପି ଦଳର ନେତାମାନେ ସମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନକୁ ବିରୋଧ କରିବା ସହ ଖୋଲାଖୋଲି କମ୍ପାନୀକୁ ସମର୍ଥନ କରୁଛନ୍ତି। ଏ ସବୁ ପାର୍ଟି ଓ ନେତାମାନେ କମ୍ପାନୀର ଦଲାଲ। ଅଂଚଳରେ ଯୁବକମାନଙ୍କୁ ମାସିକିଆ ଟଙ୍କା ଦେଇ କମ୍ପାନୀ ଦଲାଲ ବନାଇଛନ୍ତି। ଯୁବକମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଛି ମାଓ ସଂଗଠନ। ଆତ୍ମନିର୍ଭରଶୀଳ ହୁଅନ୍ତୁ ଦିନ ମଜୁରିଆ ନୁହେଁ ବରଂ ନିଜ ମାଟି ପାଇଁ ଆନ୍ଦୋଳନ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି। ସବୁ ରାଜନୈତିକ ଦଳ କମ୍ପାନୀ ସପକ୍ଷରେ ଥିବାରୁ ଆଗାମୀ ନିର୍ବାଚନ ବର୍ଜନ ପାଇଁ ଡାକରା ଦିଅନ୍ତୁ ବୋଲି ମଧ୍ୟ ଆହ୍ୱାନ କରିବା ସହ ସରକାରୀ କଳ, ନେତା ଓ ଗୁଣ୍ଡାମାନଙ୍କ ବିରୋଧରେ ଲଢିବା ପାଇଁ ଗାଁ ଗାଁରେ ସଂଗଠନ ଓ ସଶସ୍ତ୍ର ମିଲିସିଆ ତିଆରି କରନ୍ତୁ ବୋଲି ଆହ୍ୱାନ କରାଯାଇଛି। ଜନଶୁଣାଣୀ ଭରଷା କରି ରୁହନ୍ତୁ ନାହିଁ। ଫଲଜରି କରି ଜନ ଶୁଣାଣୀକୁ କମ୍ପାନୀ ପକ୍ଷରେ କରାଇ ଦେବେ। ଆନ୍ଦୋଳନ ଜାରି ରଖନ୍ତୁ। ମାଓ ସଂଗଠନ ଆନ୍ଦୋଳନକୁ ସମର୍ଥନ କରୁଛି ଓ ଦଲାଲକୁ ଦଣ୍ଡ ଦେବ ବୋଲି ପୋଷ୍ଟରରେ ଉଲ୍ଳେଖ ରହିଛି। ମାଣ୍ଡିବିସି ଅଂଚଳରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.