ବୁଢା ଡଙ୍ଗର ଲୋକ ମହୋତ୍ସବ-୨୦୨୩ କୁ ନେଇ ସାମ୍ବାଦିକ ସମ୍ମିଳନୀ 

୨୬ ଓ ୨୭ ଦୁଇ ଦିନ ଧରି ଚାଲିବ ମହୋତ୍ସବ

ଉତ୍ସବରେ ଲୋକ ସଙ୍ଗୀତ ଓ ଲୋକ ନୃତ୍ୟକୁ ବିଶେଷ ପ୍ରାଧାନ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୩ ପାଳନ ହେବ। ଏନେଇ ଆୟୋଜକ ଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ରବିବାର ଦିନ ବିଏସ୍ଏ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଦୁଇ ଦିନ ଧରି ହେବାକୁ ଥିବା ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯାଇଥିଲା । ବିଏସ୍ଏ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଅକ୍ଷୟ ଦାସ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସ୍ବାଗତ କରିବା ସହ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହେଉଥିବା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ରେ ସ୍ଥାନୀୟ ସାମ୍ବାଦିକ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ କୁ ପ୍ରଶଂସା କରିଥିଲେ ଏବଂ ଆସନ୍ତା ୨୬ ଏବଂ ୨୭ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଉପରେ କହିଥିଲେ ।‌‌ ସୂଚନା ଅନୁସାରେ, ଦୁଇ ଦିନ ଧରି ହେବାକୁ ଥିବା ବୁଢା ଡଙ୍ଗର ଲୋକ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ସମୁଦାୟ ଅନେକ ସାଂସ୍କୃତିକ ଦଳ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁସାରେ ୨୬ ତାରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ କେସିଙ୍ଗା ବିଡ଼ିଓ ଙ୍କ ଦ୍ଵାରା ଅନୁଷ୍ଠାନର ପତାକା ଉତ୍ତୋଳନ କରିବା ପରେ କେସିଙ୍ଗା ସହର ମଧ୍ୟରେ ଥିବା ବୁଢା ଡଙ୍ଗର ମନ୍ଦିର ଠାରୁ ଲୋକ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମଞ୍ଚପୂଜା ଓ ଉଦଘାଟନ କରାଯିବ ଏଥିରେ ସ୍ଥାନୀୟ ତହସିଲଦାର ଉଦଘାଟନ ଭାବେ ରହିଥିବା ବେଳେ ବରିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀଙ୍କ ସଂଯୋଜନାରେ ଅପରାହ୍ନ ୩ ଘଣ୍ଟା ସମୟରେ ସୁର ସଂଗୀତ କାର୍ଯ୍ୟକ୍ରମ ରଖାଯାଇଛି । ସନ୍ଧ୍ୟାରେ ଅତିଥି ମାନଙ୍କ ଦ୍ଵାରା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୩ ର ଶୁଭ ଉଦଘାଟନ ହେବ । ଏହି ଅବସରରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗରୁ ନର୍ତ୍ତକୀ ଭୁବନେଶ୍ୱର-ଓଡିଶୀ,ମାଲଖମ, ଗଞ୍ଜାମର ଉପେନ୍ଦ୍ର ଏବଂ ସାଥି ଙ୍କ ପଶୁନୃତ୍ୟ ସହିତ ବରଗଡ଼ କଲାଜୀବି ର ସମ୍ବଲପୁରୀ ନୃତ୍ୟ ଦଳ ଯୋଗଦାନ କରିବାର ରହିଛି। ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକ ସଙ୍ଗୀତ ଓ ଲୋକ ନୃତ୍ୟ କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ବିଶେଷ ଆକର୍ଷଣ ପାଇଁ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ପ୍ରତିଭାଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପ୍ରଥମ ଦିନରେ ଘୁମୁରା କ୍ଷେତ୍ରରେ ସୁରୁ ବାରିକ, ସ୍ବାସ୍ଥ୍ୟ କ୍ଷେତ୍ରରେ ଲଳିତ ପଟ୍ଟନାୟକ ଓ ନାଟକ କ୍ଷେତ୍ରରେ ପ୍ରଦୀପ ଧଙ୍ଗଡାମାଝୀ ଏବଂ ଦ୍ବିତୀୟ ଦିବସରେ ସମାଜସେବା କ୍ଷେତ୍ରରେ ଶ୍ୟାମସୁନ୍ଦର ଜାଲ, ଲୋକ ସଙ୍ଗୀତ କ୍ଷେତ୍ରରେ ରବି ରତନ ସାହୁ ଓ ସାହିତ୍ୟ କ୍ଷେତ୍ରରେ ଡିଲେଶ୍ବର ରଣା ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଅମୀୟ ନନ୍ଦ, ସୁରେଶ୍ ମହାନନ୍ଦ, ଡାକ୍ତର ହରେକୃଷ୍ଣ ଧଳ, କୋଷାଧ୍ୟକ୍ଷ ବିକ୍ରମ ବାରିକ, କାର୍ଯ୍ୟକାରୀ ସଦସ୍ୟ ରମେଶ ଜେନା, ମୋହନ ସାହା, ଯୁବ କବି ଯାଦବେନ୍ଦ୍ର ସାହା ପ୍ରମୁଖ ଉପସ୍ଥିତ ରହିଥିଲେ ଓ ଶେଷରେ ଅମୀୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.