ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ମୋଟୁ ଠାରୁ ପୁରୀ ସାଇକେଲ ଯାତ୍ରାରେ ଓକିଲ ଲମ୍ବୋଧର

ଶୁଭକାମନା ଜଣାଇଲା ରାୟଗଡା ଓକିଲ ସଙ୍ଘ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମାଲକାନଗିରି ଜିଲ୍ଲା ସୀମାନ୍ତ ବିବାଦୀୟ ଇନ୍ଦିରା ସାଗର ପୋଲାଭରମ ଡ୍ୟାମ ପ୍ରକଳ୍ପକୁ ବିରୋଧ କରି ମାଲକାନଗିରି ଜିଲ୍ଲା ମୋଟୁ ସ୍ଥିତ ତ୍ରିବେଣୀ ସଙ୍ଗମ ସ୍ଥଳର ଦୁଇଟି ନଦୀର ଜଳ ସଂଗ୍ରହ କରି ପୁରୀ ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଥିବା ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ସଭାପତି ଲମ୍ବୋଧର ତୁରୁକଙ୍କୁ ରାୟଗଡା ଠାରେ ରାୟଗଡା ଓକିଲ ସଙ୍ଘ ତରଫରୁ ଶୁଭକାମନା ଜଣାଯାଇଛି। ଆଜି ସକାଳେ ଲମ୍ବୋଧର ସାଇକେଲ ଯୋଗେ ମାଲକାନଗିରି ଜିଲାରୁ ଦୀର୍ଘ ୨୫୦ରୁ ଉର୍ଦ୍ଧ କିଲୋମିଟର ଅତିକ୍ରମ କରି ରାୟଗଡା ଠାରେ ପହଂଚିଥିଲେ। ରାୟଗଡା ଓକିଲ ସଙ୍ଘର ବରିଷ୍ଠ ଓକିଲ ମହେଶ୍ୱର ମହାପାତ୍ର, ରାଧାକୃଷ୍ଣ ଦଳେଇ, ସୁକାନ୍ତ ଦାସ, ସଚ୍ଚିଦାନନ୍ଦ ଖାଡ଼ଙ୍ଗା, ଲାବଣ୍ୟ ମୋହନ ପଟ୍ଟନାୟକ, ଗୌରୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ ଓକିଲମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଦୀର୍ଘ ବର୍ଷ ଧରି ପୋଲାଭରମ ପ୍ରକଳ୍ପର ସମସ୍ୟାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓକିଲ ଶ୍ରୀ ତୁରୁକ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି।
ମୁଗି ପଏଣ୍ଟରେ ପୂଜାର୍ଚ୍ଚନା ହେବା ପରେ ପିପୁଲ ଆଗେନେଷ୍ଟ ପୋଲାଭରମ ପ୍ରଜେକ୍ଟ ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ଓ ବରିଷ୍ଠ ନାଗରିକ ଜାଲ୍ଲାରାପୁ ସତ୍ୟନାରାୟଣ ପ୍ରମୁଖ ସବୁଜ ପତକା ଦେଖାଇ ମୋଟୁ ଠାରୁ ପୁରୀ ଯାଏଁ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ। ଚଳିତ ମାସ ୩୧ ତାରିଖ ସୁଦ୍ଧା ପୁରୀ ପହଞ୍ଚିବା ଲକ୍ଷ୍ୟ ରଖିଥିବା ଲମ୍ବୋଧର ତୁରୁକ କହିଛନ୍ତି। ସୂଚନା ଯୋଗ୍ୟ ଯେ ପୋଲାଭରମ ଡ୍ୟାମ ନ ଥାଇ ୧୯୮୬ ଏବଂ ୨୦୦୬ ମସିହାରେ ବନ୍ୟାର ପଛୁଆ ଜଳ ଦ୍ୱାରା ମାଲକାନଗିରି ଜିଲ୍ଲାର କାଲିମେଳା, ପଡ଼ିଆ, ମାଥିଲି, କୋରୁକୋଣ୍ଡା ଚାରୋଟି ବ୍ଲକର ପ୍ରାୟ ୧୩୦ ଖଣ୍ଡ ଗ୍ରାମ ପଛୁଆ ଜଳରେ ପ୍ରଭାବିତ ହୋଇଥିଲା। ଡ୍ୟାମ କାମ ସମ୍ପୂର୍ଣ୍ଣ ହେଲେ ମାଲକାନଗିରି ଏବଂ ସୁକୁମା ଜିଲ୍ଲାର କ୍ଷୟକ୍ଷତି ଆକଳନରୁ ବାହାରେ ବୋଲି କୁହାଯାଇଛି। ସାଇକେଲ ଯାତ୍ରା ଶୁଭାରମ୍ଭ ପରେ ପ୍ରଥମେ କ୍ଷତିଗ୍ରସ୍ତ, ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ଉଚିତ କ୍ଷତିପୂରଣ ଏବଂ ଥଇଥାନର ବ୍ୟବସ୍ଥା କରିବା ସହ ସରକାର ସେମାନଙ୍କୁ ବିସ୍ତାପିତ କରନ୍ତୁ ବୋଲି ସରକାରକୁ ନିବେଦନ କରିଛନ୍ତି ପିଏପିପି ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ। ପୁରୀ ଅଭିମୁଖେ ବାହାରିଥିବା ଲମ୍ବୋଧର ପ୍ରତିଦିନ ସନ୍ଧ୍ୟା ୬ ଟାରେ ଯେଉଁ ସ୍ଥାନରେ ପହଁଚିବେ ସେଠାରେ ସେ ରାତ୍ରି ଯାପନ କରି ପୁଣି ଭୋର ସକାଳୁ ନିଜ ଯାତ୍ରା ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.