ହଜାରେ ନୁହଁ ୨୫୦୦ ରୁ ୩୦୦୦ ହେଉ ଭତ୍ତା ଟଙ୍କା 

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ସମୟଧରି ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରି ଆସୁଛି ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି। ସଂଗଠନ ପକ୍ଷରୁ ଗତ ଫେବୃଆରୀ ୨ରେ ଭତ୍ତା ବୃଦ୍ଧି ପାଇଁ ଭବାନୀପାଟଣା ଠାରେ ଏକ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହିତ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୩ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ବାର୍ଦ୍ଧକ୍ଯ, ବିଧବା, ଅବିବାହିତା ଓ ଭିନ୍ନକ୍ଷମମାନଙ୍କୁ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ୫୦୦, ୭୦୦ ଓ ୯୦୦ଟଙ୍କାରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଥିଲା। ତେଣୁ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ସମେତ ରାଜ୍ଯର ବିଭିନ୍ନ ମହଲରୁ ଭତ୍ତା ବୃଦ୍ଧି ନିମନ୍ତେ ଦାବି ହେଉଥିଲା। ଏହା ପରେ ରାଜ୍ଯ ସରକାର ଗତ ଫେବୃଆରୀ ୧୦ ରେ ସବୁ ବର୍ଗରେ ମାତ୍ର ୫୦୦ ଟଙ୍କା ବୃଦ୍ଧି କଲେ ଯାହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଅସନ୍ତୋଷର ବାତାବରଣ ଖେଳିଯାଇଛି। ତେଣୁ ଆଜି ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ମହଙ୍ଗା ଦୁନିଆରେ ଗରିବ ଓ ଅସହାୟମାନେ ମାତ୍ର ୧୦୦୦ଟଙ୍କାରେ ବଞ୍ଚିବେ କେମିତି ବୋଲି ପ୍ରଶ୍ନ କରିବା ସହ ସରକାର ପୁଣି ଥରେ ୧୦୦୦ରୁ ୨୫୦୦ଟଙ୍କା, ୧୨୦୦ ଓ ୧୪୦୦କୁ ୩୦୦୦ଟଙ୍କା କରିବା ଏବଂ ସମସ୍ତ ଭତ୍ତାଧିକାରୀଙ୍କୁ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି। ଯଦି ୧୫ଦିନ ଭିତରେ ସରକାର ନ ଚିନ୍ତା କରନ୍ତି ତା ହେଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହାସହ ସରକାରଙ୍କ ଉପରେ ଚାପ ସ୍ରୁଷ୍ଟି କରିବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିବା ସହ ଆଗାମୀ ନିର୍ବାଚନରେ ନିଜ ନିଜ ନିର୍ବଚନୀ ଇସ୍ତହାରରେ ୩ଟି ଦାବିକୁ ସାମିଲ କରିବା ପାଇଁ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନିରୋଦ କୁମାର ରାଉତ, କବିତା ରାଉତ, ଲିଙ୍ଗରାଜ ପ୍ରଧାନ, ମନ୍ଦାକିନୀ ବାଣୁଆ, କ୍ଷିରୋଦ କୁମାର ନାଗ, ଯୋଗେଶ୍ୱରୀ ଧଙ୍ଗଡା ମାଝୀ, ପଞ୍ଚୁ ସାହୁ, ସୌମ୍ୟରଂଜନ କର, ଶିବାନୀ ଶଂକର ଭୋଇ, ଅଜୟ ରାଉତ, ରଞ୍ଜିତ ପଣ୍ଡା, ତିରବତୀ ମାଝୀ, ହୀରା ରାଉତ, ସରୋଜିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.