ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘୋଡାବନ୍ଧ ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ୫୦ ଜଣ ଶ୍ରମିକ ମନରେଗା ଯୋଜନାରେ ଟିସିବି (ଟ୍ରସ କମ ବଣ୍ଡ) କାର୍ଯ୍ୟ କରି ୫ ମାସରୁ ଉର୍ଦ୍ଧ୍ୱ ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କର ପାଉଣା ଜଣକ ୨୫,୦୦୦ ରୁ ୩୦,୦୦୦ ଲେଖାଏଁ ମୋଟ ୧୩,୦୦,୦୦୦ ଟଙ୍କା ପାଇପାରି ନଥିବା ହେତୁ ଗୁରୁବାର ବ୍ଲକ ଘେରାଉ କରିଥିଲେ। ବାରମ୍ବାର ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇ ପଡିଲେଣି। ସରକାରଙ୍କ ମନରେଗା ଯୋଜନାରେ ନୂତନ ସ୍କିମ ଭାବରେ ଏହି “ଟିସିବି” କାର୍ଯ୍ୟ ସବୁ ଚାଲିଛି। ଏଥିରେ ପଡିଆ ଜମିରେ ଆୟତାକାର ପୋଖରୀ ଖନନ କରାଯାଇ ବୋହି ଯାଉଥିବା ପାଣିକୁ ଅଟକାଇ ରଖିଲେ ମାଟିତଳେ ଜଳସ୍ତର ଠିକ ରହିବ ଏଣୁ ମନରେଗା ଯୋଜନାରେ ଏହି “ଟିସିବି” କାର୍ଯ୍ୟ ପ୍ରତି ଗାଁ ରେ ଚାଲୁଛି। ଏହି କ୍ରମରେ ଗତ ଅକ୍ଟୋବର ମାସରେ ବ୍ରାହ୍ମଣୀ ଗାଁର ଶ୍ରମିକ ମାନେ ନିଜ ଗାଁରେ ଏହି କାର୍ଯ୍ୟ କରିଥିଲେ। ହେଲେ ପ୍ରତ୍ୟେକ ଶ୍ରମିକଙ୍କ ଜଣ ପ୍ରତି ୨୫,୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ବାକି ରହିଥିବା ବେଳେ ଅଦ୍ୟାବଧି ସେମାନେ ପାଇ ପାରିନାହାନ୍ତି ସେମାନଙ୍କର ପ୍ରାପ୍ୟ। ଏହା ବାଦ କାମ କରିଥିବା ଅନେକ ଶ୍ରମିକଙ୍କ ନାମ ମଷ୍ଟର ରୁଲରେ ରହିନଥିବା ମଧ୍ୟ ଉଲ୍ଲେଖ କରିଛନ୍ତି ବ୍ରାହ୍ମଣୀ ଗ୍ରାମର ଶ୍ରମିକ ମାନେ। ୫ ମାସ ଧରି ପ୍ରାପ୍ୟ ନପାଇବା ଫଳରେ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇପଡିଥିବା ଦର୍ଶାଇ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦରଖାସ୍ତ ଦେବା ସହ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀ ଗ୍ରାମର ଅରୁଣ ବାଗ, ନବିନ ସାହୁ, ମହେଶ୍ୱର କୁମାର, ଟିକେଧର ମାଝୀ, କାମଦେବ ମାଝୀ, ବୁଲୁ ବାଗ, ପୂର୍ଣ୍ଣଚନ୍ଦ୍ର ସାହୁ, ଦାସରଥି ମାଝୀକ୍ଷୀତିଶ କରୁଆଁ, ଭୂମି ମାଝୀବିକେକ ମାଝୀ, ତନୁ ବାଗଙ୍କ ସମେତ ୫୦ ଜଣ ଶ୍ରମିକ ବ୍ଲକ ଘେରାଉ କରିବା ସହିତ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ହୋ-ହଲ୍ଲା କରିଥିଲେ।ଏ ସଂପର୍କରେ ମନରେଗା ଯୋଜନାର ନର୍ଲା ବ୍ଲକ ଏପିଓ ସନ୍ତୋଷ ପଣ୍ଡାଙ୍କ ମତାମତ ନେବାରୁ ସେ କହିଲେ ୫ ମାସ ହେଲାଣି ବ୍ରାହ୍ମଣୀ ଗ୍ରାମର ଶ୍ରମିକ ମାନେ ସେମାନଙ୍କ ପ୍ରାପ୍ୟ ପାଇ ନାହାନ୍ତି ସତ କଥା। କେନ୍ଦ୍ରରୁ ଟଙ୍କା ଆସି ନାହିଁ। ଟଙ୍କା ଆସିଲା ସାଙ୍ଗେ ସାଙ୍ଗେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଏଣୁ ଏବେ ଆମେ ନିରୁପାୟ ବୋଲି କହିଛନ୍ତି।