ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଧାରଣା

ଦାବୀ ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବ ସଂଘ

ରବି ଧାନ ଚାଷ ଓ ଡାଲି ଜାତୀୟ ଚାଷ ପ୍ରଭାବିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କର ଅନେକ ଦାବୀ ପୁରଣ କରିସାରିଥିବା ବେଳେ କୃଷି ଭିତ୍ତିକ ରାଜ୍ୟ ଓଡିଶାର ତୃଣମୂଳ ସ୍ତରର କୃଷି କର୍ମଚାରୀ “ଗ୍ରାମ୍ୟ କୃଷି କର୍ମଚାରୀ” ମାନଙ୍କ ମୌଳିକ ଦାବୀ ଗୁଡିକ ପ୍ରତି ଅଣଦେଖା କରିଥିବାରୁ ଆନ୍ଦୋଳନକୁ ଓହ୍ଲାଇଛି “ଗ୍ରାମ୍ୟ କୃଷି କର୍ମଚାରୀ” ସଂଘ । ରାଜ୍ୟ ସଂଘ ଡାକରାରେ ଚାକିରୀରେ ଯୋଗ ଦେବାର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟର ମିଡ଼ିଏଟ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବା ପ୍ରଥମ ଦାବୀ, ସେହିଭଳି ଗ୍ରାମ୍ୟ କୃଷି କର୍ମଚାରୀ ନାମ ପରିବର୍ତ୍ତନ, ଗ୍ରେଡ ପେ ୨୦୦୦ ଟଙ୍କା ବଦଳରେ ୪୨୦୦ ଟଙ୍କା କରିବା, ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ତିନିଗୋଟି ପଦୋନ୍ନତି ଦେବା, ସର୍ବପରି ବହୁପ୍ରତିକ୍ଷିତ କ୍ୟାଡର ପୁନର୍ଗଠନ, ୨୦୧୩ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପରେ ତା ପୂର୍ବରୁ ବିଭାଗ ପ୍ରଣୟନ କରିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରୀ କାଳ ଭାବେ ଗଣନା କରି ୬ ଗୋଟି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା ଆଦି ୬ ଦଫାର ଦାବୀ ରହିଛି। ୬ ଦଫାର ଦାବୀ ନେଇ ମଙ୍ଗଳବାର ଦିନ ଠାରୁ ପ୍ରତ୍ୟେକ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ମାନେ ନିଜ ନିଜ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଅଫିସ ଆଗରେ ସକାଳ ୧୦ ରୁ ସଂଧ୍ୟା ୫ ଟା ଯାଏଁ ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଭାପତି ତଥା ରାଜ୍ୟ ସଂଘ ଉପସଭାପତି ଶମ୍ଭୁଦତ୍ତ ନାଏକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଭାସ୍କର ମାଝୀ ଜିଲ୍ଲା କର୍ମକର୍ତ୍ତାଙ୍କ ସମେତ ନର୍ଲା ବ୍ଲକରୁ ଭିଏଡବ୍ଲୁ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତି ମାଝୀ, ସୁନୀଲ ଭୋଇ, କେମନ୍ତ ସାହୁ, ଚଞ୍ଚଳା ସାହୁ, ତିଳୋତ୍ତମା ସାଗର ଏଭଳି କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକର ୧୩୦ ଜଣ ଭିଏଡବ୍ଲୁ ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଯଦି ଶୀଘ୍ର ଦାବୀ ଗୁଡିକ ପୁରଣ ନକରନ୍ତି ତାହେଲେ ଆସନ୍ତା ସପ୍ତାହରୁ ସଂଘ ରାଜ ରାସ୍ତାକୁ ଓହ୍ଲାଇ ଗଣ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ କୃଷି କ୍ଷେତ୍ରରେ ଦେଶରେ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଘୋଷଣା କରିଆସୁଛନ୍ତି । କୃଷି ର ବିକାଶ ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ତୃଣମୂଳ ସ୍ତରର ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟ ନବୀନ ସରକାର ଦୁଇ ଦୁଇ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ହେଲେ ନ୍ୟାୟୋଚିତ ଦାବୀ କରୁଥିବା ସେହି ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.