ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅନ୍ତର୍ଗତ କିଆପଦର ଭଟାଗୁଡା ଗ୍ରାମ ନିଟଟ ଏକ ପୋଲ ତଳୁ ଡାଲଗୁମା ଗ୍ରାମର ମହାନ୍ତି ମାଝୀ (୪୦)ଙ୍କ ମୃତଦେହ ଉଦ୍ଧାର ହୋଇଛି। କର୍ଲାପାଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାନ୍ତି ମାଝୀ ଗତକାଲି କୌଣସି କାରଣ ନେଇ ଭଟାଗୁଡା ଗାଁକୁ ଯାଇ ଫେରିନଥିଲେ। ସଂଧ୍ୟା ହେଲା ପରେ ଘର ଲୋକେ ଖୋଜାଖୋଜି କରି ପାଇନଥିଲେ। ଶୁକ୍ରବାର ସକାଳୁ ପୁଣି ଖୋଜାଖୋଜି କଲା ପରେ ଭଟାଗୁଡା ନିକଟ ଏକ ପୋଲ ତଳେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ମୃତ ମହାନ୍ତି ମାଝୀଙ୍କ ବାପା କୁମୁଡା ମାଝୀ ଏନେଇ କର୍ଲାପାଟ ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ କର୍ଲାପାଟ ଥାନା ଅଧିକାରୀ ବିଜୟ ରାଜ ମାଝୀ ଏବଂ ଏ.ଏସ୍.ଆଇ ଅଜୟ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୋଲିସ। ଥାନା କେସ୍ ନଂ ୟୁଡି ୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ମାଝୀ।