କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ସ୍ଥିତ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୨ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.