ଫକୀରମୋହନ ବିଶ୍ବବିଦ୍ୟାଳୟରେ ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶକ୍ରମେ ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଅମୁଲ୍ୟ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ଵାରା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରଦତ୍ତ ଆର୍ଥିକ ରାଶିର ସ୍ୱଚ୍ଛ ବିନିଯୋଗ ନିମିତ୍ତ ପିଏଫ୍ଏମ୍ଏସ୍ ଏକ ଉତ୍ତମ ପରିଚାଳନା ବ୍ୟବସ୍ଥା ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଆଶୁତୋଷ ସିଂ ଓ ଅବିନାଶ ମିଶ୍ର ପ୍ରମୁଖ ବିଶେଷଜ୍ଞ ଯୋଗ ଦେଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ.ଡିଇ.ଓ ମାନଙ୍କୁ ପିଏଫ୍ଏମ୍ଏସ୍ ପରିଚାଳନା ପାଇଁ ତାଲିମ ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କମଳାକାନ୍ତ ଓଝା, ବିଶ୍ଵବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ ଓ ଡ଼କ୍ଟର ଜଗନ୍ନାଥ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପ୍ରଦୀପ କୁମାର ମୁଦୁଲି ଓ ତାପସ କୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାର ଦାୟିତ୍ବ ନିର୍ବାହ କରିଥିଲେ। ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ। ଶେଷରେ ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗୌରାଙ୍ଗ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.