କୋସଲି କବିତା ଆସର ଚଇତି ଅନୁଷ୍ଠିତ

ବେଲପଣା ସହ କବିତାମୟ ହେଲା ପଥପ୍ରାନ୍ତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ କୋସଲି କବିତା ଆସର ‘ଚଇତି’ ଅନୁଷ୍ଠିତ ହୋଇଯାଇଛି । କୋସଲି କବିତାର ବର୍ଣ୍ଣିଳ ଆସର “ଚଇତି-୨୦୨୪” କାର୍ଯ୍ୟକ୍ରମରେ ବିଭିନ୍ନ ରୂପ ଓ ରଙ୍ଗ ପରଶି ଥିଲେ ଅନେକ କବି । ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ନାଟ ପକ୍ଷରୁ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଆର୍ତ୍ତତ୍ରାଣ ବାବୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସନ୍ତୋଷ ପାଢୀ ଏହି ସୁଜନ ପର୍ବରେ ଯୋଗଦେଇ ଏହି ଅଭିନବତାକୁ ପ୍ରଶଂସା କରିଥିଲେ । ନାଟର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ ର ସାଧାରଣ ସଂପାଦକ ବନମାଳି ପଣ୍ଡା, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ମଂଚାସୀନ ଥିବାବେଳେ ମଂଚ ପରିଚାଳନା କରିଥିଲେ ବିଶିଷ୍ଟ ସଂସ୍କୃତି ସଂଗଠକ ବେଣୁଧର ପ୍ରଧାନ। ଧନ୍ୟବାଦ ଅର୍ପଣ କରିଥିଲେ ନାଟ୍ ର ସାହିତ୍ୟ ସଂପାଦକ କବି ନରେନ୍ଦ୍ର ଭୋଇ । କବି ଲକ୍ଷ୍ମୀ ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଚଇତି ଆସରରେ ୪୦ରୁ ଅଧିକ କବି ନିଜ ନିଜର କବିତା ପରିବେଷଣ କରିଥିଲେ । କବି ସସ୍ମିତା ମେହେର, ସ୍ଵର୍ଣ୍ଣମୟୀ ମହାପାତ୍ର, ଅନିରୁଦ୍ଧ କୁରକୁରିଆ, ଅଖୋଜ ସାଣ୍ଢ, ପୁରୁଷୋତ୍ତମ ମିଶ୍ର, ପୁରୁଷୋତ୍ତମ ପାଣିଗ୍ରାହୀ, ପ୍ରଭୁଦତ୍ତ ରଥ, ଇନ୍ଦିରା ମିଶ୍ର, କ୍ଷୀରୋଦ ବିହାରୀ ବିଶ୍ଵାଳ ପ୍ରମୂଖ କବିତା ଆସରକୁ ରସାଳ କରିଥିଲେ । ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ହାତ ତିଆରି ପଣା ଆସରର ଅନ୍ୟତମ ଆକର୍ଷଣ ଥିଲା । କାର୍ଯ୍ୟକୁମ ଆୟୋଜନରେ ସମୀର ସାହୁ, ଦେବାଶିଷ ପଟ୍ଟନାୟକ, ବିଶ୍ଵଜିତ ମହାପାତ୍ର ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.