ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ମାଝୀ ଓ ପରମାନନ୍ଦ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରେ ବଢୁଛି ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା। ସେହିପରି ଦଳଡିଆଁ ବଢିବାରେ ଲାଗିଛି। ଏଥର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଅନେକ ଆଶାୟୀଙ୍କ ଚେର କାଟିଥିବା ନେଇ ତୁହାକୁ ତୁହା ଅଭିଯୋଗ ହେଉଛି। ଯେଉଁ କାରଣରୁ ଜିଲ୍ଲାରେ ନେତାଙ୍କ ଦଳଡିଆଁ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହିପରି ଭାବେ ଦଳରେ ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିବା ସହିତ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ ନେତା। ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲାଞ୍ଜିଗଡ଼ ବିଧାନସଭା ଟିକେଟ ଆଶାୟୀ ଥିବା ବିଜେପି ନେତା ଚାଂଚେର ମାଝୀ, ଯୁବନେତା ରାଜେନ୍ଦ୍ର ମାଳୀ, ହରିହର କୁମାରଙ୍କ ସମେତ ଅନେକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ଚାଂଚେର ମାଝୀ ଲାଞ୍ଜିଗଡ଼ ବିଧାନସଭା ଆସନରେ କଂଗ୍ରେସ ଦଳକୁ ସଂଗଠିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ନଦେବାରୁ ନିଜ ସମର୍ଥକଙ୍କୁ ନେଇ ସେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ବିଜେପି ମଧ୍ୟ ନିରାଶ କରିବାରୁ ସେ ଦଳ ଛାଡି ଆଜି ବିଜେଡିରେ ୭୦ରୁ ଉର୍ଦ୍ଧ୍ କର୍ମୀଙ୍କୁ ନେଇ ସାମିଲ ହୋଇଥିବା ଜଣାପଡିଛି। ମାସକ ମଧ୍ୟରେ କଂଗ୍ରେସ, ବିଜେପି ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ମାଝୀ। ସେହିପରି ବିଜେଡି, କଂଗ୍ରେସ, ସମୃଦ୍ଧ ଓଡିଶା, ପୁଣି କଂଗ୍ରେସ ବାଟ ଦେଇ ଏବେ ପୁଣି ଥରେ ଶଙ୍ଖ ଫୁଙ୍କିଛନ୍ତି ଆଦିବାସୀ ନେତା ପରମାନନ୍ଦ ମାଝୀ। ସେ ମଧ୍ୟ ଏଥର ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରିବା ଅଭିଯୋଗ କରି ସେ ଦଳ ଛାଡିଛନ୍ତି। ସେହିପରି କଂଗ୍ରେସ ଦଳର ଜଣେ ନେତା ଓ ଯୁବ ସଂଗଠକ ତ୍ରିଲୋଚନ ପାଣିଗ୍ରାହୀ ଆଜି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନଠାରେ ଅୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.