ସତ୍ୟ ମହିମା ଆଶ୍ରମ ପରବାଙ୍ଗୀର ମହିମା ମେଳା ମହୋତ୍ସବ-୨୦୨୪ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରବୁଦ୍ଧ ସ୍ବାମୀ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ‘ମହିମା ଧର୍ମ’ ସର୍ବଜନ ହିତାୟ, ସର୍ବଧର୍ମ ସୁଖାୟର ବାର୍ତ୍ତା ବହନ କରେ। ସଂସାର ପଙ୍କରେ ଘାଣ୍ଟି ହେଉଥିବା ପ୍ରାଣୀମାନେ କିପରି ମୁକ୍ତ ହୋଇପାରିବେ ସେହି ପଥ ଦେଖାଇଛନ୍ତି ମହିମା ସ୍ବାମୀ। ତାଙ୍କ ଦ୍ବାରା ପ୍ରବର୍ତ୍ତିତ ହୋଇଥିବା ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଆଜି ମଧ୍ୟ ଜନାଦୃତ ହୋଇପାରିଛି। ବିଶ୍ବବାସୀଙ୍କ ମଙ୍ଗଳବିଧାନ ପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଅନୁଷ୍ଠିତ ହେଉଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗୀ ଗ୍ରାମସ୍ଥିତ ସତ୍ୟ ମହିମା ଆଶ୍ରମରେ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ପରବାଙ୍ଗୀ ସତ୍ୟ ମହିମା ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମ ଅବଧୂତ ଭଗବାନ ବାବା, ସାଧୁ କୃଷ୍ଣଚନ୍ଦ୍ର ଦାସ, ସାଧୁ ଉଦ୍ଧବ ଦାସ, ସାଧୁ ସଦାନନ୍ଦ ଦାସ, ସାଧୁ ଦୟାନନ୍ଦ ଦାସ, ସାଧୁ ଝସକେତନ ଦାସ, ସାଧୁ ବିଦୁର ଦାସ, ସାଧୁ ନବୀନ ଦାସ, ସାଧୁ ଇନ୍ଦ୍ରମଣୀ ଦାସ, ସାଧୁ ରବିନ୍ଦ୍ର ଦାସ, ସାଧୁ ଦେବାର୍ଚ୍ଚନ ଦାସ, ବ୍ରହ୍ମ ସ୍ବରୂପ ବ୍ରହ୍ମଚାରୀ ତଥା ମହିମା ସମାଜ ଲତା ଆଶ୍ରମ ପରିଚାଳନା ସମିତିର ସମସ୍ତ ସିଦ୍ଧ, ସାଧୁ ବୈରାଗୀ ଉପସ୍ଥିତ ଥିଲେ। ହିନ୍ଦୁ ଧର୍ମର ଅଦୈତ ବ୍ରହ୍ମ ବାଦ ହେଉଛି ମହିମା ଧର୍ମ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ହିନ୍ଦୁଧର୍ମର ପ୍ରଚାର ପ୍ରସାର ପାଇଁ ବ୍ରତି ରହିଥିବା ସାଧୁ ପ୍ରଭାକର ଦାସ ଦୀର୍ଘ ୨୨ ବର୍ଷ ହେଲା ପରବାଙ୍ଗୀ ଆଶ୍ରମରେ ପ୍ରତିବର୍ଷ ଏହି ମହୋତ୍ସବର ଆୟୋଜନ କରିଥାନ୍ତି। ଏହାସହ ସେ ପଶ୍ଚିମାଞ୍ଚଳର କୋଣ ଅନୁକୋଣରେ ପ୍ରବଚନ ଦେଇ ବିପଥଗାମୀ ମଣିଷମାନଙ୍କୁ ଧର୍ମ ମାର୍ଗରେ ପରିଚାଳିତ କରିବାପାଇଁ ଚେଷ୍ଟିତ ଅଛନ୍ତି। ପରବାଙ୍ଗୀ ମହିମା ଆଶ୍ରମରେ ବ୍ରହ୍ମ ଯଜ୍ଞ ପାଇଁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। ଏହାସହ ଧୁନୀ ସ୍ଥାପନ, ଯଜ୍ଞ, ଭଜନ କୀର୍ତ୍ତନ, ପ୍ରବଚନ, ଓଡ଼ିଶୀ ନୃତ୍ୟ ଓ ଅହୋରାତ୍ର ନାମ ସଂକୀର୍ତ୍ତନ ଚାଲିଥିଲା। ଏଥିରେ କଳାହାଣ୍ଡି, ବଲାଙ୍ଗୀର, ବଉଦ, ଫୁଲବାଣୀ, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡା ଆଦି ବିଭିନ୍ନ ଜିଲ୍ଲାରୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ସାମିଲ ହୋଇଥିଲେ। ପରବାଙ୍ଗୀ ସମେତ ଆଖପାଖ ଗ୍ରାମବାସୀ ଓ ଭକ୍ତବୃନ୍ଦ ଏହି ଭବ୍ୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାହାଯ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.