କଳାହାଣ୍ଡି ଲୋକସଭା ଆସନ ପାଇଁ ହେବ ଜୋରଦାର ଲଢେଇ: ରଣାଙ୍ଗନରେ ଦ୍ରୌପଦୀ, ଲମ୍ବୋଦର ଓ ମାଳବିକା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ନିର୍ବାଚନ। ଲଢ଼େଇ ପାଇଁ ପ୍ରସ୍ତୁତ ସମସ୍ତ ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରଠାରୁ ଘନଘନ ବସୁଛି ଦଳୀୟ ବୈଠକ। ନିର୍ବାଚନରେ କିପରି ଜିତାପଟ ହାସଲ କରିହେବ ସେନେଇ ଚାଲିଛି ମନ୍ତ୍ରଣା। ଉଷ୍ମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏପଟେ ଗ୍ରୀଷ୍ମର ତାତି ଠାରୁ ବଳି ଯାଉଛି କଳାହାଣ୍ଡି ରାଜନୈତିକ ପାଣିପାଗର ପାରଦ। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦ୍ରୌପଦୀ ମାଝୀ, ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ଟିକେଟରେ ଲଢ଼ି ଗତ ନିର୍ବାଚନରେ କଳାହାଣ୍ଡି ଲୋକସଭା ସାଂସଦ ହୋଇଥିବା ବସନ୍ତ ପଣ୍ଡା ଏଥର ନିରାଶ ହୋଇଛନ୍ତି। ତାଙ୍କ ଜାଗାରେ ରାଜ ପରିବାରର ବୋହୁ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ଇତି ମଧ୍ୟରେ ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମାରାଥନ୍ ଗସ୍ତରେ ଯାଇ କର୍ମୀ ଓ ଜନସାଧାରଣଙ୍କ ସହ ଭାବ ବିନିମୟ କରି ସାରିଛନ୍ତି। ଶ୍ରୀ ନିଆଲ ପ୍ରଚାରରେ ଆଗୁଆ ଥିବା ଆଲୋଚନା ହେଉଥିବାବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ପଛରେ ନାହାନ୍ତି। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ କର୍ମୀ ସମ୍ମିଳନୀ, ରୋଡ଼୍ ସୋ ଓ ସାଧାରଣ ସଭାରେ ଯୋଗ ଦେଉଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ରାଜ୍ୟର ବିକାଶ ଧାରାକୁ ନେଇ ଜନତାଙ୍କ ପାଖକୁ ଯାଉଛି ବିଜୁ ଜନତା ଦଳ। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶକୁ ମୁଖ୍ୟ ଆୟୁଧ କରିଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସ କଂଗ୍ରେସ ପରିବର୍ତ୍ତନର ନାରା ଦେଇ ୨୫ ଗ୍ୟାରେଣ୍ଟିକୁ ତୃଣମୂଳ ସ୍ତରରେ ପହଞ୍ଚାଇ ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ  ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବାପରେ କଂଗ୍ରେସ କର୍ମୀମାନଙ୍କ  ଜୋସ୍ ଦ୍ଵିଗୁଣିତ ହୋଇଛି। ତିନି ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାରରେ ମାତି ଥିବାବେଳେ ଆଗକୁ କଳାହାଣ୍ଡିରେ ଲଢ଼େଇ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ବିଜପି ହାତକୁ ଯାଇଥିଲା କଳାହାଣ୍ଡି ଲୋକସଭା ଆସନ। ଚଳିତ ନିର୍ବାଚନରେ ବିଜେପି ଗଡ଼ ରକ୍ଷା ପାଇଁ ପ୍ରୟାସ କରୁଥିବାବେଳେ ବିଜେଡ଼ି ଓ କଂଗ୍ରେସ ଏହି ଆସନକୁ ଛଡ଼େଇ ନେବା ପାଇଁ ରଣନୀତି ପ୍ରସ୍ତୁତ କରି ରଣାଙ୍ଗନକୁ ଓହ୍ଲାଇଥିବା ଆଲୋଚନା ହେଉଛି। ତେବେ ଏହି ଆସନ କାହା ହାତକୁ ଯିବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.