ଗୋଟିଏ ଦିନରେ “ରାମ ନାମ” କବିତା ଲିଖନ ରେକର୍ଡ

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାମ ନବମୀ ଅବସରରେ ରାଜ୍ୟସ୍ତରୀୟ ରାମ ନାମ ଶୀର୍ଷକ ଲିଖିତ କବିତା ସୃଜନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ଆଧ୍ୟାତ୍ମିକ ସାହିତ୍ୟର ସର୍ବ ବୃହତ୍ ପ୍ରତିଯୋଗିତା ଥିଲା । ସକାଳ ୭.୦୦ ଘଟିକାରୁ ରାତ୍ର ୧୦.୦୦ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । “ରାମ ନାମ” କୁ ନେଇ ଭକ୍ତି କବିତା , ଆଧୁନିକ କବିତା , ଭଜନ , ଛାନ୍ଦ କବିତା , ଅନୁପ୍ରାସ , ଚୋଖି , ଯମକ ସହିତ ରାମାୟଣ ର ଲିଖନ ଶୈଳୀରେ ଚମତ୍କାର କବିତା ରଚନା କରି କବି ଓ କବୟିତ୍ରୀ ବୃନ୍ଦ ପ୍ରେରଣ କରିଥିଲେ । ନିୟମ ଅନୁସାରେ ଏହି କବିତା ଗୁଡ଼ିକ ଏହି ସମୟ ଭିତରେ ଲେଖା ଯାଇଥିବ ଏବଂ କେଉଁ ଠାରେ ପୂର୍ବରୁ ପ୍ରକାଶିତ ହୋଇ ନ ଥିବ । ଏହି ପ୍ରତିଯୋଗିତାରେ ଶୁଦ୍ଧ ଓଡ଼ିଆ ଭାଷା ର ପ୍ରୟୋଗ ଉପରେ ଗୁରୁତ୍ବ ପ୍ରଦାନ କରା ଯାଇଥିଲା । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଆଧ୍ୟାତ୍ମିକ କବି ଓ କବୟିତ୍ରୀ ବୃନ୍ଦ ୨୧୧ ଗୋଟି ସ୍ୱ ରଚିତ କବିତା ରଚନା କରି ଗୋଟିଏ ଦିନରେ ପ୍ରେରଣ କରିଛନ୍ତି । ଏହି ପ୍ରତିଯୋଗିତାରେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ , ଡ଼କ୍ଟର ଲକ୍ଷ୍ମଣ ସାହୁ , ଡ଼କ୍ଟର ସୁକାନ୍ତି ମହାପାତ୍ର ଏବଂ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ନିରପେକ୍ଷ ଜଜ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି ଏବଂ ଶ୍ରେଷ୍ଠ ପାଞ୍ଚଜଣ ଆଧ୍ୟାତ୍ମିକ କବିଙ୍କୁ ଚୟନ କରିବେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଏହା ଓଡ଼ିଆ ଭାଷାର ସର୍ବାଧିକ ଗୋଟିଏ ଦିନରେ ଲେଖା ଯାଇଥିବା କବିତାର ଜାତୀୟ ରେକର୍ଡ ବୋଲି ମତବ୍ୟକ୍ତ କରିଛନ୍ତି । ଭାରତରେ କାର୍ଯ୍ୟ କରୁଥିବା ଜାତୀୟ ରେକର୍ଡ ସଂସ୍ଥାକୁ ରେକର୍ଡର ସବିଶେଷ ତଥ୍ୟ ପ୍ରେରଣ କରା ଯାଇଛି । ସେମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.