ଅନ୍ୟ ପଞ୍ଚାୟତ ଗୁଡିକରେ ଶୀଘ୍ର କରିବାକୁ ଦାବୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସରର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଅପ୍ରେଲ ପହିଲା ଉତ୍କଳ ଦିବସ ଦିନରୁ ଆରମ୍ଭ ହୋଇଯାଇଛି ଜଳଛତ୍ର। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ୪ ଗୋଟି ସ୍ଥାନ ସର୍ଗିଗୁଡା ଲେବୁଲ କ୍ରସିଂ ରେଳ ଫାଟକ ନିକଟରେ, ନର୍ଲା ତହସିଲ ଅଫିସ ସମ୍ମୁଖ, ତୁଳାଗାଁ ତିନି ଛକ ଓ ବାଙ୍କେଲ ଆମ୍ବ ବଗିଚାରେ ଅପ୍ରେଲ ପହିଲାରୁ ଆରମ୍ଭ ହୋଇଯାଇଛି ଜଳଛତ୍ର। ସର୍ଗିଗୁଡାର ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର ଆରମ୍ଭ ହୋଇଛି। ଏକ ଅସ୍ଥାୟୀ ଡାଳ କୁଡିଆ ଘର କରାଯାଇଛି ଏବଂ ସେଠାରେ ମାଠିଆ ରେ ବଡି ସକାଳୁ ପାଣି ଭର୍ତ୍ତି କରି ପଥଚାରୀ ଓ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଉପଲବ୍ଧ କରାଯାଉଥିବା କଥା ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ କହିଛନ୍ତି। ପ୍ରତି ଜଳଛତ୍ର କେନ୍ଦ୍ରରେ ପ୍ରତ୍ୟହ ୧୦୦ ରୁ ଉର୍ଦ୍ଧ୍ବ ପଥଚାରୀ ଓ ଜନସାଧାରଣ ଏଭଳି ୪୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଥଣ୍ଡା ପାନୀୟ ଜଳ ପିଉଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଅପ୍ରେଲ ମାସ ଆରମ୍ଭରୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସମାଗମ ସ୍ଥଳ ଗୁଡିକରେ ଗ୍ରାମ ପଞ୍ଚାୟତ ତରଫରୁ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥାଏ । ହେଲେ ଚଳିତ ବର୍ଷ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଓ ଅନ୍ୟ କେତେକ ପଞ୍ଚାୟତକୁ ବାଦ୍ ଦେଲେ ୧୦ ରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତ ଗୁଡିକରେ ଏ ଯାଏଁ ଆରମ୍ଭ ହୋଇନି ଜଳଛତ୍ର। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଜାଣିବାକୁ ମିଳୁଛି। ମାର୍ଚ୍ଚ ମାସ ଶେଷ ଭାଗରେ କାଳ ବୈଶାଖି ପ୍ରଭାବରେ ସପ୍ତାହ ବ୍ୟାପୀ ବର୍ଷା ଯୋଗୁଁ ତାତିରୁ ଟିକେ ଉପଶମ ମିଳିଥିଲା। ହେଲେ ଅପ୍ରେଲ ପହିଲାରୁ ପ୍ରବଳ ଗରମ ଅନୁଭୁତ ହେଉଛି। ଏଭଳି ସମୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୪ ଗୋଟି ଜନସମାଗମର କେନ୍ଦ୍ର ସାଜିଥିବା ଛକରେ ପାନୀୟ ଜଳର ଏଭଳି ସୁବ୍ୟବସ୍ଥା ଯୋଗୁଁ ବିବିନ୍ନ ମହଲରୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳୁଛି।