କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି; ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର: ‘ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲାର ନାଁ କୁହନ୍ତୁ’

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୋଦୀ। କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ମୋଦୀ। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଖଣ୍ଡା ଓ ମାଁ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭିଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି। ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ। ଗତକାଲି ଭୁବନେଶ୍ୱରରେ ଭବ୍ୟ ରୋଡ ଶୋକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଜେପି ପ୍ରତି ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ମୋତେ ଋଣୀ କରିଛି। ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ଫେରାଇବି ବୋଲି ମୋଦୀ କହିଛନ୍ତି। ଫୁଲବାଣୀରେ କଂଗ୍ରେସକୁ କଡା ସମାଲୋଚନା କରି ପାକିସ୍ତାନ ନିକଟରେ ପରମାଣୁ ବୋମା ଥିବା ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରସଙ୍ଗ ଏବଂ ୨୬/୧୧ ମୁମ୍ବଇ ଆକ୍ରମଣକୁ ନେଇ ସେ ତିବ୍ର ସମାଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରେ ଡବଲ ଇଞ୍ଜିନ୍‌‌ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ୍‌‌ ସରକାର ହେବ। ଏଥିପାଇଁ ଆପଣଙ୍କୁ ୨୧ ଲୋକସଭା ସାଂସଦ ପ୍ରାର୍ଥୀକୁ ସଂସଦ ପଠାଇବାକୁ ହେବ ଏବଂ ରାଜ୍ୟରେ ବିଜେପି ପ୍ରାର୍ଥୀ ଜିତାଇ ବିଧାନସଭା ପଠାଇବାକୁ ପଡିବ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ବିଜେଡିକୁ ସିଧାସଳକ ଟାର୍ଗେଟ କରିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନା କାଗଜରେ ଓଡ଼ିଶାର ଜିଲା ଗୁଡ଼ିକର ନାମ କହିବାକୁ ଆହ୍ବାନ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ, ‘ମୁଁ ନବୀନ ବାବୁଙ୍କୁ ଚାଲେଞ୍ଜ କରୁଛି। ନବୀନ ବାବୁ ବିନା କାଗଜରେ ଓଡ଼ିଶାର ଜିଲା ଏବଂ ଜିଲା ମୁଖ୍ୟାଳୟ ମାନଙ୍କର ନାମ କୁହନ୍ତୁ। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲାଗୁଡ଼ିକ ନାମ ଜାଣିନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ଆମକୁ ୫ ବର୍ଷ ଦିଅନ୍ତୁ, ଆମେ ଓଡ଼ିଶାକୁ ୧ ନମ୍ବର କରିଦେବୁ’ ବୋଲି ମୋଦୀ କହିଥିଲେ। କନ୍ଧମାଳର ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାହିଁକି ରତ୍ନଭଣ୍ଡାର ଚାବି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାୟନ ୪୫ବର୍ଷ ତଳେ ହୋଇଥିଲା। ଗତ ୪୦ବର୍ଷ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ଗତ ୬ବର୍ଷ ହେଲାଣୀ ମିଳୁନି। ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାଁନ୍ତି ରାଜ୍ୟ ସରକାର। ଚାବି ଗଲା କୁଆଡେ, କାହା ପାଖକୁ ଗଲା, ଡୁପ୍ଲିକେଟ ଚାବି କେଉଁଠୁ ଆସିଲା ଏସବୁ ସମ୍ପର୍କରେ ଲୋକଙ୍କର ଜାଣିବାର ଅଧିକାର ଅଛି। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ତିଆରି କରିବା ଗମ୍ଭୀର ବିଷୟ। ଏସମ୍ପର୍କରେ କମିଶନ ବସିଲା, ହେଲେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ରାଜ୍ୟ ସରକାର ଏସମ୍ପର୍କରେ କାହିଁକି ଚୁପ୍‌‌। କାହା ପାପ ଘୋଡାଇବାକୁ ପ୍ରୟାସ କରାଯାଉଛି। ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବିଶାଳ ସମାବେଶରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡାର ବିଧାୟକ ପ୍ରାର୍ଥୀଙ୍କ ସମେତ ସମସ୍ତ ସଦସ୍ୟ, କର୍ମୀ ଓ ହଜାର ହଜାର ସମର୍ଥକଙ୍କ ସମାଗମ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.