କଳାହାଣ୍ଡି ଶିକ୍ଷା ବିଭାଗ ତରଫରୁ ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ର ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଚଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ରେ କଳାହାଣ୍ଡି ଜିଲ୍ଲାର ପାସ୍ ହାର ୯୫.୮୬ ଶତକଡ଼ା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣ କୃତୀ ପରୀକ୍ଷାର୍ଥୀ A1 ଗ୍ରେଡ଼୍ ରଖି ପାସ୍ କରିଛନ୍ତି । ଏହି ୬ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ଏକ ଭବ୍ୟ ଉତ୍ସବରେ ଜିଲ୍ଲାର ପ୍ରମୁଖ ଶିକ୍ଷାବିଦ୍ ଓ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମେଳନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀ ହେଲେ ପଞ୍ଚାୟତ ହାଇସ୍କୁଲ, ମେଦିନୀପୁରର ଯତ୍ନରାଜ ସାହୁ, ଜସ୍ମିନ ପଧାନ, ଖୁସ୍ତବୁ ମେହେର;ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଏସ୍‌.ଏସ୍‌.ଡ଼ି) ଗୋପାଳପୁରର ସୁପ୍ରଭା ନାଏକ; ବୃନ୍ଦାବାହାଲ ନୋଡ଼ାଲ ହାଇସ୍କୁଲର ପ୍ରଭାସ ନାଏକ ; ସନ୍ଧିକୁଲିଆରୀ ହାଇସ୍କୁଲର ଚୁମନ୍‌ଲାଲ୍ ବୁଡ଼େକ୍ ।

କଳହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ପୌରହିତ୍ୟ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ସୁଶାନ୍ତ କୁମାର ଚୋପଦାର । ଅତିଥିମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର । ସମସ୍ତ ଅତିଥି ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ପ୍ରଦାନ କରିଥିଲେ । ନିଜର ଏହି ସଫଳତାକୁ ବଜାୟ ରଖିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୋପଦାର ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ ସଫଳତା ପାଇଁ କଠୋର ପରିଶ୍ରମ ଅତ୍ୟନ୍ତ ଜରୁରୀ । କଠୋର ପରିଶ୍ରମ ହିଁ ସବୁ ସଫଳତା ଦେଇଥାଏ । କୃତୀ ଛାତ୍ରଛାତ୍ରୀମାନେ ନିଜ ସଫଳତାର କାହାଣୀ ନିଜ ମୁହଁରେ କହିଥିଲେ । ସେମାନେ ସେମାନଙ୍କର ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିଜ ପରିଶ୍ରମକୁ ସଫଳତାର ଶ୍ରେୟ ପ୍ରଦାନ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କ ଉପସ୍ଥିତିରେ ଉତ୍ସବଟି ମଧୁମୟ ହୋଇଉଠିଥିଲା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ବିଜ୍ଞାନ ପରିଦର୍ଶକ, କଳାହାଣ୍ଡି ଦୁଷ୍ମନ୍ତ ଶେଖର ପାଢ଼ୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.