ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସ୍ବର ବଦଳିଛି। ଏଣିକି କଂଗ୍ରେସ ପାଇଁ କରିବେ ପ୍ରଚାର । ୱାୟନାଡ ଆସନ ପାଇଁ ହେବାକୁ ଥିବା ଉପନର୍ବିଚାଚନ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଇଁ କରିବେ ପ୍ରଚାର କରିବାକୁ ଯାଉଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପାଇଁ ମମତା ଏଭଳି ନିଷ୍ପତି ନେଇଥିବା କୁହଯାଉଛି । ମମତାଙ୍କ ଏହି ନରମ ଆଭିମୁଖ୍ୟ ମୂଳରେ କଂଗ୍ରେସ ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ସହ ବୈଠକକୁ ଧରାଯାଇପାରେ । ଦୁଇଦିନ ପୂର୍ବରୁ କୋଲକାତାରେ ମମତାଙ୍କ ସହ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ସର୍ମ୍ପକରେ ଆଲୋଚନା କରିଥିଲେ ପି.ଚିଦାମ୍ବରମ । ଏହି ବୈଠକରେ ଚିଦାମ୍ବରମ ମମତାଙ୍କୁ କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ପରିବର୍ତନ କରିବାକୁ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି । ଏହାଛଡା ମମତାଙ୍କ ଏଭଳି ଆଭିମୁଖ୍ୟ ପଛରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଅଧୀର ରଂଜନ ଚୌଧୁରୀଙ୍କ ଇସ୍ତଫା ମଧ୍ୟ ଏକ କାରଣ ହୋଇପାରେ । ମମତାଙ୍କ ଘୋର ବିରୋଧୀ ଅଧୀର ନିର୍ବାଚନରେ ନିଜର ପରାଜୟ ପରେ ଇସ୍ତଫା ଦେଇଛନ୍ତି । କେବଳ ତାଙ୍କ ଯୋଗୁଁ ପଶ୍ଚିମବଙ୍ଗରେ ତୃଣମୂଳକଂଗ୍ରେସ ଓ କଂଗ୍ରେସ ମଧ୍ୟରେ ମେଂଟର ହୋଇପାରିଲା ନାହିଁ ବୋଲି ମମତା ଅଭଯୋଗ କରିଛନ୍ତି । ନିର୍ବାଚନ ବେଳେ ମମତା କଂଗ୍ରେସ ୪୪ଟି ଆସନ ପାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସର ଭଲ ପ୍ରଦର୍ଶନ ଯୋଗୁଁ ମମତା ମଧ୍ୟ କଂଗ୍ରେସ ସହ ଭଲ ସର୍ମ୍ପକ ରଖିବାକୁ ଚାହୁଁଛନ୍ତି । ତେଣୁ ସଂସଦରେ ମଧ୍ୟ ଦୁଇ ଦଳ ମଧ୍ୟରେ ଉତମ ସମନ୍ବୟ ରଖିବାକୁ ଆଶା କରାଯାଏ ।