ନୂଆପଡା,୨/୭ : ସରକାରଙ୍କ ଶତ ଚେଷ୍ଟା ପରେବି ଦିନକୁ ଦିନ ବଢିଚାଲିଛି ଚାଷୀଙ୍କ ଦୂର୍ଦଶା । କେତେବେଳେ ପ୍ରଶାସନିକ ସ୍ଥରରେ ଅବହେଳାର ଶିକାର ତ କେତେବେଳେ ମିଲର୍ସଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ କଟନି ଛଟନୀର ସମ୍ମୁଖିନ ହେଇଛି ଚାଷୀ । କେତେବେଳେ ବିହନ ମିଳୁନି ତ କେତେବେଳେ ଉତ୍ପାଦିତ ଫସଳ ବିକ୍ରି କରିନପାରି ମୁଣ୍ଡରେ ହାତଦେଇ ଭାଗ୍ୟକୁ ନିନ୍ଦୁଛି ଚାଷୀ । କେତେବେଳେ ଋଣ ଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରୁଛି ଚାଷୀ । ଲାଗୁଛି ସତେଯେପରି ଚାଷୀଙ୍କ ପାଇଁ ନିଦାବିଷ୍ଣୁ ପାଳଟି ଯାଇଛି ସରକାରୀ କଳ ।
ରାଜ୍ୟର ଏକ ଅବହେଳିତ ଜିଲ୍ଲା ନୂଆପଡାରେ ଚାଷୀଙ୍କ ଦୂର୍ଗତି ଚରମ ସୀମାରେ ପହଞ୍ଚିଥିବା ନଜରକୁ ଆସିଛି । କିଛି ଦିନ ପୂର୍ବେ ମଣ୍ଡିରେ ଧାନ ପଡିରହି ଗଜା ହେବା ଅବସ୍ଥାକୁ ଆସି ଯାଇଥିବା ବେଳେ ଜାତୀୟ ରାଜପଥ ଅବରୋଧ କରି ହଙ୍ଗାମା କରିଥିଲେ ଚାଷୀ କୂଳ । ତେବେ ବର୍ତ୍ତମାନ ହଟାତ ମଣ୍ଡି ବନ୍ଦ ହୋଇଯିବାରୁ ଚାଷୀ ବେସାହାରା ହୋଇପଡିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଉପୁଜାଇଥିବା ଧାନକୁ ବିକ୍ରି କରିନପାରି ମୁଣ୍ଡ ପିଟି କାନ୍ଦୁଛି ଚାଷୀ । ଚାଷୀର ଦୂର୍ଦଶା ସତେ ଯେପରି କାହା ନଜରରେ ଆସୁନାହିଁ । ସୋମବାର ଦିନ ନୂଆପଡା ଜିଲ୍ଲାପାଳଙ୍କ ଗ୍ରୀଭେନସ ଗୃହ ବାହାରେ ବସିପଡି ମଣ୍ଡିରୁ ଧାନ ଉଠାଇବାକୁ ଦାବି କଲେ ପରକୋଡ଼, ଜାଡାମୁଣ୍ଡା ର ଚାଷୀ କୁଳ । ସେମାନଙ୍କ ସହ ସ୍ବର ମିଶାଇଲେ ବିଜେପି ରାଜ୍ୟ ଉପସଭାପତି ପ୍ରସନ୍ନ ପାଢ଼ୀ, ବରିଷ୍ଠ ନେତା ଅଶୋକ ମିତ୍ର, ଚତୁର୍ଭୁଜ ଶର୍ମା, ହୋମସିଂ ମାଝୀ ଓ ଯୁବ ନେତା ରବୀନ୍ଦ୍ର ମଙ୍ଗରାଜ ।
ଏଠାରେ ସୂଚନା ଯୋଗ୍ୟଯେ ବର୍ତ୍ତମାନ ଧାନ ମଣ୍ଡି ବନ୍ଦ ହୋଇ ସାରିଛି । ଅଭିଯୋଗ ଆସୁଛି ମିଲର୍ସ ଓ ସେକ୍ରେଟେରୀ ଙ୍କ ମଧୁ ଚନ୍ଦ୍ରୀକା ରେ ପେଶି ହୋଇ ଯାଉଛି ଚାଷୀ । ଗରିବ କୃଷକର ଧାନ ବିକ୍ରି ହୋଇ ପାରୁନାହାଁ । ମିଲର୍ସ ନିଜର ମନ ମୁତାବକ ଧାନ କିଣୁ ଛନ୍ତି, ପଡୋଶୀ ଛତିଶଗଡରୁ ଧାନ ଆସି ନୂଆପଡା ମିଲରେ ଅଛି ବୋଲି ଚାଷୀ କୁଳ ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି । ମିଲର୍ସଙ୍କ ଛତିଶଗଡ ପ୍ରିତୀ ଯୋଗୁ ଉଠିପାରୁନି ନୂଆପଡା ଚାଷୀର ଧାନ । ଅପ୍ରତ୍ୟାଶିତ ଭାବେ କୃଷକ ମାନେ ଗ୍ରିଭେନ୍ସ ବାହାରେ ବସିପଡି ନିଜର ଦାବି ଜଣାଇବାରୁ ଅଡୁଆରେ ପଡି ଯାଇଥିଲା ନୂଆପଡା ଜିଲ୍ଲା ପ୍ରଶାସନ ।
ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏ.ଡି.ଏମ. ସୀତାରାମ ପଟେଲ ଏକ ବୈଠକ ଡାକି ଅତି ଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମସ୍ୟା ବିଷୟରେ ଏ.ଡି.ଏମ. କହିଲେ କି ଉପରୁ ଟାର୍ଗେଟ ଦିଆ ନ ଯାଇ ଥିବାରୁ ଏହି ଭଳି ସମସ୍ୟା ହେଉଛି। ଏପଟେ ବିଶେଷ ସୂତ୍ର ରୁ ଜଣା ପଡିଛି ମଙ୍ଗଳବାର ସକାଳ ୧୦ ଟା ଭିତରେ ଦାବି ପୂରଣ ନ ହେଲେ ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣ ଦେବେ ବୋଲି ଚେତାଇ ଦେଇଛନ୍ତି ଚାଷୀ କୂଳ ।