ରେଭେନ୍ୟୁ ଗ୍ରାମ ଦାବୀ ନେଇ ପ୍ରଶାସନ ସହିତ ଆଲୋଚନା କଲେ ସାଲେପଡାବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲସିଙ୍ଗା ଗ୍ରାମ ପଞ୍ଚାୟତର ସାଲେପଡା ଗ୍ରାମ ସେଟେଲମେଣ୍ଟ ସମୟରୁ ସ୍ୱିକୃତିପ୍ରାପ୍ତ ଗ୍ରାମର ମାନ୍ୟତା ପାଇ ପାରିନାହିଁ । ଯାହାକୁ ନେଇ ଉକ୍ତ ଗ୍ରାମ ପଞ୍ଚାୟତର ଚାରିଖଣ୍ଡ ଗ୍ରାମ ମଧ୍ୟରେ ଅସନ୍ତୋଷର ବାତାବରଣ ଲାଗି ରହିଛି । ଏବକୁ ମିଶାଇ ୮ ଥର ପ୍ରଶାସନ ସହିତ ଆଲୋଚନା ହୋଇଥିବା ବେଳେ ଅଭିଯୋଗ ଆସୁଥିବା ଏବଂ ସବୁବେଳେ ଅସହଯୋଗ କରୁଥିବା ବାଲସିଙ୍ଗା ଗ୍ରାମର କେହି ଜଣେ ବି ବ୍ୟକ୍ତି ଉକ୍ତ ଗ୍ରାମ ସଭାରେ ଉପସ୍ଥିତ ହେଉନଥିବା ସାଲେପଡା ବାସୀ ଅଭିଯୋଗ ଆଣିଛନ୍ତି ।

ସାଲେପଡା ବାଲସିଙ୍ଗା ଗ୍ରାମ ପଞ୍ଚାୟତର ସବୁଠୁଁ ବଡ ଗ୍ରାମ ହୋଇଥିବା ବେଳେ ଏହା ରେଭୁନ୍ୟୁ ଗ୍ରାମର ମାନ୍ୟତା ନପାଇବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି କହିଛନ୍ତି ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁ । ଅଭିଯୋଗକୁ ଭିତ୍ତିକରି ସୋମବାର ବାଲସିଙ୍ଗା ଗ୍ରାମ ପଞ୍ଚାୟତର ବାଲସିଙ୍ଗା, ସାଲେପଡା, ଲିମପଡା, ଭିର୍କାପଡା ପ୍ରଭୃତି ଗ୍ରାମର ଜନସାଧାରଣଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଡାକିଥିଲେ ବ୍ଲକ ପ୍ରଶାସନ । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମେଳନ କକ୍ଷରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ନର୍ଲା ତହସିଲଦାର ବିଶ୍ୱନାଥ କହଁର ମଧ୍ୟ ଉକ୍ତ ସଭାରେ ମଞ୍ଚାସୀନ ରହିଥିଲେ ।

ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁଙ୍କ ନେତୃତ୍ୱରେ ଉକ୍ତ ସଭାରେ ୨୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ବାଲସିଙ୍ଗା ଗ୍ରାମର କେହି ଜଣେ ବି ବ୍ୟକ୍ତି ସଭାକୁ ଆସିନଥିବା ଜଣାପଡିଥିଲା । ଗ୍ରାମର ବୟସ୍କ ବ୍ୟକ୍ତି ମାନେ ସାଲେପଡା ଏତେବଡ ଗାଁ ହୋଇଥିଲେ ମଧ୍ୟ ରେଭେନ୍ୟୁ ଗ୍ରାମର ମାନ୍ୟତା ନପାଇବା ଏବଂ ବାଲସିଙ୍ଗାର ଏକ ଉପଗ୍ରାମ ଭାବରେ ପରିଚୟ ନେଇ ରହିବା ବିଷୟ ଓ ଏଥିପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ କହିବା ସହିତ ପ୍ରଶାସନକୁ ଏହାର ସମାଧାନ କରିବା ନିମନ୍ତେ ଅନୁରୋଧ କରିଥିଲେ ।

ଗତ ତିନି ବର୍ଷ ମଧ୍ୟରେ ନର୍ଲା ବ୍ଲକ ପରିସର ଓ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ପରିସରରେ ୭ ଗୋଟି ସଭା ଏଥିପାଇଁ ଅନୁଷ୍ଠିତ ହୋଇ ସାରିଥିବା ବେଳେ ବାଲସିଙ୍ଗା ଗ୍ରାମବାସୀ ଏହାର ଆସୁ ସମାଧାନ ନିମନ୍ତେ କେବେ ବି କୌଣସି ସଭାକୁ ଆସିନଥିବା କଥା ସାଲେପଡା, ଲିମପଡା ଓ ଭିର୍କାପଡା ବାସୀ ଅଭିଯୋଗ କରିଥିଲେ । ବ୍ଲକ ପ୍ରଶାସନ ଆଉ ଗୋଟିଏ ଥର ଏଥିପାଇଁ ବାଲସିଙ୍ଗା ଗ୍ରାମବାସୀଙ୍କୁ ସୁଯୋଗ ଦେବା, ସେମାନେ ଯଦି ପୁଣି ସମାଧାନ ସଭାକୁ ନଆସନ୍ତି ତାହେଲେ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ କହିଥିଲେ । ଆଉ ବହୁତ କମ ଦିନ ମଧ୍ୟରେ ଏନେଇ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ପରିସରରେ ସଭା ଅନୁଷ୍ଠିତ ହେବ ବୋଲି ନର୍ଲା ବିଡିଓ ଶ୍ରୀ ସୁନା କହିଥିଲେ ।

ଏହି ସଭାରେ ବାଲସିଙ୍ଗା, ଲିମପଡା ଓ ଭିର୍କାପଡାର ଯୁବ ନେତୃତ୍ୱ ବିଦ୍ୟାଧର ସ୍ୱାଇଁ, ବନମାଳି ପଧାନ, କାଲିଆ ମାଝୀ, ଅଶୋକ ସେନାପତି, ସୀମାଞ୍ଚଳ ଖାଡଙ୍ଗା, ଦେବରାଜ ଖାଡଙ୍ଗା, ନରେନ୍ଦ୍ର ନାଗ, ଅଲେଖ ଛତର, ନିର୍ମଳ ସେନାପତି, ଗଣନାଥ ନାଗ, ରଘୁନାଥ ନାଗ, ଭଗବାନ ପଧାନଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ୱ ଜନସାଦାରଣ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହା ବ୍ୟତିରେକ ହାତୀ ଆତଙ୍କ ନାମରେ ପ୍ରତିଦିନ ସଂଧ୍ୟା ୬ ରୁ ସଲାଖ ୬ ଟାଏଁ ୧୨ ଘଣ୍ଟା ବିଦ୍ୟୁତ କାଟକୁ ବିରୋଧ କରି ଉକ୍ତ ଗ୍ରାମବାସୀ ବୃନ୍ଦ ନର୍ଲା ଟାଟାପାୱାର ଅଫିସକୁ ଯାଇ ଏହାର ସମାଧାନ ନିମନ୍ତେ ଏସଡିଓଙ୍କୁ ସେମାନଙ୍କ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.