ସନାତନ ଧର୍ମଧାରାରେ ନବରାତ୍ରର ବିଶେଷ ମହତ୍ୱ ରହିଛି। ପୌଷ-ମାଘ, ଚୈତ୍ର, ଆଷାଢ ଏବଂ ଆଶ୍ୱିନ ମାସରେ ନବରାତ୍ର ପାଳନ କରାଯାଏ। ତେବେ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ମହତ୍ୱପୂର୍ଣ୍ଣ ହୋଇଥାଏ। ପୌଷ ଓ ଆଷାଢରେ ପାଳିତ ହେଉଥିବା ନବରାତ୍ରୀକୁ ଗୁପ୍ତ ନବରାତ୍ର ବୋଲି କୁହାଯାଏ। ଆଶ୍ୱିନ ମାସରେ ଶରତ ଋତୁ ଆରମ୍ଭ ହୋଇଥାଏ ତେଣୁ ଏହି ନବରାତ୍ରିକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ। ଶାରଦୀୟ ନବରାତ୍ର ଆଶ୍ୱିନ ମାସରେ ପ୍ରତିପଦାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ନବମୀରେ ସମାପ୍ତ ହୋଇଥାଏ। ନବ ରାତ୍ରର ୯ ଦିନ ମା’ଙ୍କର ଅଲଗା ଅଲଗା ରୂପର ପୂଜା କରାଯାଏ। ଶ୍ରୀମଦ୍ଦେବୀଭାଗବତ ପୁରାଣ ଅନୁସାରେ ‘ନବରାତ୍ର’ ବ୍ରତର ଚାରିଟି ପ୍ରମୁଖ ଅଂଶ ହେଉଛନ୍ତି- ନବାର୍ଣ୍ଣମନ୍ତ୍ର ଜପ ସହ ଚଣ୍ଡୀପୂଜା, ଚଣ୍ଡୀହୋମ, କୁମାରୀପୂଜା ଓ ବ୍ରାହ୍ମଣଭୋଜନ। ନବ ରାତ୍ର ପୂଜାର ବ୍ରତ କରିବା ଦ୍ୱାରା ଭକ୍ତଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ।