ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ତଳ ବେଲଗାଁ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ଚାନ୍ଦଲିରେ କମ୍ବଳ ବଣ୍ଟନ କରାଯାଇଛି। ବ୍ରାହ୍ମଣ ସମାଜର ଜିଲ୍ଲା ସଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଓ ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ଦାଶ ଆଦିବାସୀ ଗ୍ରାମ ଚାନ୍ଦଲିକୁ ଯାଇ ଆଦିବାସୀ ଭାଇ ଭଉଣୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଗାଁର ସମସ୍ତ ୩ ବର୍ଷ ବୟସର ଶିଶୁଙ୍କୁ ଆଙ୍ଗନୱାଡ଼ି କେନ୍ଦ୍ରକୁ ଓ ସମସ୍ତ ୬ ବର୍ଷ ବୟସର ଶିଶୁଙ୍କୁ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପ୍ରତିଦିନ ବିଦ୍ୟାଳୟ ପଠାଇବାକୁ ପରାମର୍ଶ ଦେଇଥିଲେ। ଏଥି ସହ ସମସ୍ତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିଜ ନିଜର ସ୍ବାସ୍ଥ୍ୟ କାର୍ଡ କରାଇ ନେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ସମସ୍ତ ପ୍ରକାର ଟୀକାକରଣ ଯୋଜନାରେ ପ୍ରତ୍ୟେକ ଶିଶୁ ଓ ଗର୍ଭବତୀ ମହିଳା ନିଶ୍ଚିତ ଟୀକା ନେବାପାଇଁ କହିଥିଲେ। ପରେ ପରେ ଶତାଧିକ ପୁରୁଷ, ମହିଳା ଓ ଶିଶୁଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।