ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷ ରୁ କମ୍ ଚମ୍ପିୟାନସିପ୍ ୨୦୨୫ ଉଦ୍ଯାପିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଙ୍କ ଆୟୋଜନ ରେ ଫୁଟବଲ ଚମ୍ପିୟାନ ସିପ୍ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ ଏଫ୍ସି ବନାମ ଜରାସିଂହା ଏଫ୍ସି ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳ ୧-୧ ଗୋଲରେ ଡ୍ର ହୋଇଥିଲା । ଟ୍ରାଇବ୍ରେକର ୩-୧ ଗୋଲରେ ଟିଟିଲାଗଡ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଓଡିଶା ରାଜ୍ୟ ଫୁଟବଲ ସଂଘ ସଭାପତି ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । କ୍ରୀଡା ସଂସଦର ସାଧାରଣ ସଂପାଦକ ତଥା ଆୟୋଜନ କମିଟିର ଆବାହକ ହରିନାରାୟଣ ପୁଜାରୀ ଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘନ ସିଂ, ଡେପୁଟି କଲେକ୍ଟର ରାଜେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଡିପିଇଓ ପ୍ରଦୀପ କୁମାର ପାତ୍ର ଓ ପୂର୍ବତନ ଖେଳାଳି ସଦାନନ୍ଦ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ ।