ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ନର୍ଲା ଚାରିଛକ ବା ଶିଶୁ ମନ୍ଦିର ଛକରେ ଦିନକୁ ଦିନ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା । ନର୍ଲା ଚାରିଛକ ଦେଇ ଭୁବନେଶ୍ୱର- ଭବାନୀପାଟନା ରାଜ୍ୟ ରାଜପଥ ଯାଇଥିବା ବେଳେ ଅନ୍ୟପଟେ ଲାଞ୍ଜିଗଡରୋଡରୁ ନର୍ଲା ଚାରିଛକ ରୁପ୍ରାରୋଡ ଦେଇ କେସିଙ୍ଗାକୁ ସଂଯୋଗ ହୋଇଛି ପିଡବ୍ଲୁଡି ରାସ୍ତା ।
ମୁଖ୍ୟ ରାଜ୍ୟ ରାଜପଥ ଦେଇ ଦିନରାତି ଭାରିଯାନ ଗୁଡିକର ଚଳାଚଳ ଓ ଅନ୍ୟପକ୍ଷେ ବ୍ୟବସାୟୀକ ହବ ପାଲଟିଥିବା ନର୍ଲାକୁ ବ୍ୟବସାୟ ବଣିଜ ପାଇଁ ଦୋକାନୀ ଓ ଜନସାଧାରଣଙ୍କ ନିତ୍ୟ ସକାଳୁ ସଂଧ୍ୟାଯାଏଁ ଭିଡ ନର୍ଲା ଚାରିଛକରେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ଅନ୍ୟପକ୍ଷେ ନର୍ଲା ଚାରି ଛକରେ ଟ୍ରାଫିକ ପୋଷ୍ଟ ନଥିବା ଯୋଗୁଁ ଏହି ଚାରିଛକରେ ଅନେକ ଥର ଦୁର୍ଘଟଣା ମଧ୍ୟ ସଂଘଟିତ ହୋଇସାରିଲାଣି । ଏହାବାଦ ଏହି ଚାରିଛକ ବା ଶିଶୁ ମନ୍ଦିର ଛକରେ ରହିଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅନତୀ ଦୂରରେ ରହିଛି ନର୍ଲା ହାଇସ୍କୁଲ, ଜୁନିୟର କଲେକ ଓ ଡିଗ୍ରୀ କଲେଜ ।
ଏହାବାଦ ଛୋଟ ଶିଶୁଙ୍କ ପାଇଁ ପେସିଫିକ ପବ୍ଲିକ ସ୍କୁଲ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲ । ଅନ୍ୟ ପକ୍ଷେ ନର୍ଲାରୋଡ ପଟେ ରହିଛି ଜୟଦୁର୍ଗା ହାଇସ୍କୁଲ । ଏହା ବ୍ୟତୀତ ବ୍ୟାଙ୍କ ଓ ବିଭିନ୍ନ ଅନୁଷ୍ଠାନ ରହିଛି । ଛକ ଉପରେ ଓ ଛକର ଅନତି ଦୂରରେ ବିଭିନ୍ନ ସ୍କୁଲ କଲେଜ ରହିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସମାଗମ ଯୋଗୁଁ ସକାଳୁ ସଂଧ୍ୟାଯାଏଁ ଭିଡ ଲାଗି ରହିଥାଏ ଚାରିଛକରେ । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ନର୍ଲା ଚାରିଛକରେ ନା ରହିଛି ଟ୍ରାଫିକ ପୋଷ୍ଟ, ନା ରହୁଛି ପୋଲିସ ର ପହରା ।
ନିତ୍ୟ ପ୍ରତ୍ୟହ ଚାଲୁଥିବା ବହୁ ସଂଖ୍ୟାରେ ଭାରିଯାନ ଓ ଅସଂଖ୍ୟ ଲଘୁଯାନ ଚଳାଚଳ ଯୋଗୁଁ ବହୁ ମାତ୍ରାରେ ଏହି ଛକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଏହି ଛକରେ ଏକ ଟ୍ରାଫିକ ପୋଷ୍ଟ ତୁରନ୍ତ ଦିଆଯାଉ ନତୁବା ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଭାରିଯାନ ଗୁଡିକୁ ନର୍ଲାର ପ୍ରବେଶ ଦ୍ଵାରର ଗୋଟିଏ କିଲୋ ମିଟର ପୂର୍ବରୁ ଅଟକ ରଖାଯାଇ ସଂଧ୍ୟା ୬ ଟା ପରେ ଛାଡିବାର ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।