‘ବନ୍ଦେ ଉତ୍କଳ ଜନନୀ’ ଗାନରେ ମୁଖରିତ ହେଲ ସାରା ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଲକ୍ଷ ଲକ୍ଷ ଓଡିଆ

ଭୁବନେଶ୍ବର, ୩୦/୫ : ଆଜି ସନ୍ଧ୍ୟା ୫.୩୦ ରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତରେ ମୁଖରିତ ହୋଇ ଉଠିଛି ଉତ୍କଳ ମାଟି । କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ସଂଗୀତ ଗାନ କରାଯାଇଛି ।

ଗତ ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ସେ ଓଡିଶାର ୪ କୋଟି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଥିଲେ ଯେ, ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ରେ ଆପଣମାନେ ଦୁନିଆର ଯେଉଁଠିବି ଥାଆନ୍ତୁ ସମସ୍ତେ ସାମାଜିକ ଦୁରତା ରକ୍ଷାକରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ‘ବନ୍ଦେ ଉତ୍କଳ ଜନନୀ’ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜଭୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଦ୍ଭୁତପୂର୍ବ ପ୍ରେରଣା ଯୋଗାଇବ ।

କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ବିଜେପି ଓ କଂଗ୍ରେସ ପୂର୍ବରୁ ସ୍ବାଗତ କରିଥିଲେ । ଆଜି ଲକ୍ଷ ଲକ୍ଷ ଓଡିଆ ସାମାଜିକ ଦୁରତ୍ବର ଅନୁପାଳନ କରି ରାଜ୍ୟର କୋଣ ଅନୁକୋଣରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଖବର ଆସି ପହଞ୍ଚୁଛି ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.