ଜୁନାଗଡ,୩୦/୫: ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଜନତାଙ୍କ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେହି କ୍ରମରେ ସରକାରଙ୍କ ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ ଦିଆ ଯାଉଛି । ତେବେ ନିମ୍ନମାନର କାର୍ଯ୍ୟ ଓ ଅନିୟମିତତା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ଏହି ଯୋଜନା ଫେଲ ମାରିଛି । ଏପରି ଅନେକ ଚିତ୍ର ଆସି ପହଞ୍ଚିଛି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ । ଏଠାରେ ପରିମଳ ବ୍ୟବସ୍ଥା ବିପଯ୍ୟସ୍ତ ହୋଇଛିପଡିଛି । ସବୁ ଗ୍ରାମରେ ବାହ୍ୟ ମଳମୁକ୍ତ ଗାଁ’ ଫଳକ ଲାଗା ଯାଇଥିଲେ ହେଁ ବାସ୍ତବ ଚିତ୍ର ଭିନ୍ନ ପ୍ରକାରର । ଏଠାରେ ନିର୍ମିତ ଶୌଚାଳୟସବୁ ବ୍ୟବହାର ଉପଯେଗୀ ହୋଇନଥିବାରୁ ଲୋକେ ବାହାରେ ଝାଡା ଫେରୁଥିବା ଦେଖିବାକୁ ମିଳିଛି ।
ଏହି ପଞ୍ଚାୟତର ସର୍ଗିଛୁଆଁ ରାଜସ୍ୱ ଗ୍ରାମରେ ଅନେକ ପରିବାର ବସବାସ କରନ୍ତି । ଏମାନଙ୍କ ପାଖରେ ଶୌଚାଳୟ ସୁବିଧା ନଥିବା ଯୋଗୁଁ ସେମାନେ ବାହାରେ ଶୌଚ କାର୍ଯ୍ୟ ସଂପାଦନ କରିଥାନ୍ତି । ଏପରି ସ୍ଥଳେ ପରିମଳ ଫଳକ ପ୍ରହସନ ପାଲିଟିଛି । ସଗଡା ପଂଚାୟତର କାଶିପଦର ସମେତ ଅନେକେ ଗ୍ରାମରେ ନାଁ’ କୁ ମାତ୍ର ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ସିଂହ ଭାଗ ଲୋକ ଏହା ବ୍ୟବହାର କରୁ ନାହାନ୍ତି । ପଞ୍ଚାୟତର ବିଭିନ୍ନ ଗ୍ରାମର ଶୌଚାଳୟର ଅବସ୍ଥା ଦେଖିଲେ ଏହା ସହଜେ ଅନୁମେୟ । ଏପରିକି ସଗଡା ପଞ୍ଚାୟତର ଶୌଚାଳୟ ପରିତ୍ୟକ୍ତ ଭାବେ ପଡିରହିଛି । ତେଣ ପ୍ରଶାସନ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।