ଲାଞ୍ଜିଗଡ,୨୨/୬: ଲାଞ୍ଜିଗଡ ସମବାୟ ସମିତିରେ ଚାଷୀଙ୍କ ଲକ୍ଷାଧିକ ହଡପ୍ ହେବା ଘଟଣାର ୫ ବର୍ଷ ପରେ ବି ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଯୋଗୁଁ ଚାଷୀମାନେ ନିରାଶରେ ଅଛନ୍ତି। ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ଲାଞ୍ଜିଗଡ ସମବାୟ ସମିତି ପକ୍ଷରୁ ଖରିପ ଋଣ ପ୍ରଦାନ କରାଯାଇଥିଲା। ଏଥିପାଇଁ ଚାଷୀ ବଳରାମ ଗହୀର, ସୁଶୀଳା ତଡି, କ୍ଷମାନିଧି ମହାଖୁଡ଼ ପ୍ରମୁଖ ନାମରେ ଋଣ ମଂଜୁର ହୋଇଥିଲା। ବଳରାମଙ୍କ ନାମରେ ୫୫ ହଜାର ୨୦୦ ଟଙ୍କା ମଂଜୁର କରାଯାଇ ତାଙ୍କୁ ୨୭ ହଜାର ପ୍ରଦାନ କରାଯାଇ ଥିବାବେଳେ ୨୮ ହଜାର ୨୦୦ ଟଙ୍କା ଦିଆଯାଇ ନାହିଁ। ସେହିପରି ସୁଶିଳାଙ୍କ ନାମରେ ୬୯ ହଜାର ଟଙ୍କା ଋଣ ମଂଜୁର କରାଯାଇ ୨୦ହଜାର ଟଙ୍କା ପ୍ରଦାନ କରାଯାଇ ଥିବାବେଳେ ୪୯ ହଜାର ଟଙ୍କା ପ୍ରଦାନ କରାଯାଇନାହିଁ। କ୍ଷମାନିଧିଙ୍କ ନାମରେ ୪୧ ହଜାର ଟଙ୍କା ମଂଜୁର କରାଯାଇ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ୩୧ ହଜାର ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଇନାହିଁ। ବକିୟା ଥିବା ଋଣ ଟଙ୍କା ସମ୍ପୂର୍ଣ୍ଣ ଭାବରେ ଉପଭୋକ୍ତାଙ୍କୁ ଦିଆ ଯାଇ ନଥିବା ବେଳେ ଏମାନଙ୍କ ପାସବୁକ, ଚେକବୁକକୁ ବିଭାଗୀୟ ବିତ୍ତ ଅଧିକାରୀ ଅଜୟ ଦାସ ଓ କ୍ୟାସିଅର ମାଥୁରାମ ପୋଡ଼ ନିଜ ପାଖରେ ରଖି ବକିୟା ଋଣ ଟଙ୍କାକୁ ହଡପ୍ କରିଥିବା ଅଭିଯୋଗ ହୋଇଥିଲା। ଗତ ୨୦୧୭ ମସିହା ଅକ୍ଟୋବର ୯ ତାରିଖରେ ସେମାନେ ଭବାନୀପାଟଣା ସହରସ୍ଥିତ ସହକାରୀ ନିବନ୍ଧକ, ଜିଲ୍ଲା ଭିଜିଲାନ୍ସ ଓ ଜିଲ୍ଲାପାଳକୁ ଜଣାଇଥିଲେ। ଜିଲ୍ଲା ସହକାରୀ ନିବନ୍ଧ ସମବାୟ ସମିତି ପକ୍ଷରୁ ଅଭିଯୋଗ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ତଦନ୍ତ ବେଳେ ସମବାୟ ସମିତିର ବିତ୍ତ ଅଧିକାରୀ ଅଜୟ ଦାସ ଓ ମାଥୁରାମ ପୋଡ଼ ଟଙ୍କା ହେରଫେର ହୋଇ ଥିବା କଥାକୁ ସ୍ୱୀକାର କରିବା ସହ ୧୦ ଦିନ ମଧ୍ୟରେ ଚାଷୀମାନଙ୍କ ଟଙ୍କା ପଇଠ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତିର ୫ ମାସ ପରେ ମଧ୍ୟ ଚାଷୀମାନଙ୍କୁ ବକିୟା ଋଣ ପ୍ରଦାନ କରାଯାଇ ନ ଥିବା ଯୋଗୁଁ ୨୦୧୮ ମାର୍ଚ୍ଚ ୧୫ ତାରିଖ ଦିନ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ଗ୍ରୀଭେନ୍ସରେ ଉପଭୋକ୍ତା ମାନେ ରାଜ୍ୟ ଖାଦ୍ୟ କମିସନର ଓ କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ତଦନ୍ତ ପରେ ଶ୍ରୀ ଦାସ ଦୋଷ ସ୍ୱୀକାର କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଚାଷୀଙ୍କ ଋଣ ଟଙ୍କା ପଇଠ କରାଯାଉ ବୋଲି ସରକାରୀ ନିବନ୍ଦକଙ୍କ ତରଫରୁ ଚିଠି ମଧ୍ୟ କରାଯାଇ ଥିଲା। ପୁଣି ୨୦୧୮ ଅକ୍ଟୋବର ୧୬ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଲାଭି ପରାଗ ହର୍ଷଦଙ୍କୁ ବିଶ୍ୱନାଥପୁର ଗ୍ରୀଭେଂସରେ ଏହି ଚାଷୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ୨୦୧୮ ଅକ୍ଟୋବର ୨୦ ତାରିଖ ଦିନ ଜିଲ୍ଲା ସହକାରୀ ନିବନ୍ଦକ ତରଫରୁ ଏଆର ସନ୍ତୋଷ କୁମାର ପାଣ୍ଡେ ଓ ତତ୍କାଳୀନ ଡିଡିଏ ପ୍ରହଲ୍ଲାଦ ସାହୁ ଆସି ଉପଭୋକ୍ତା ମାନଙ୍କ ଠାରୁ ସବୁକଥା ବୁଝିକି ଯାଇଥିଲେ।ଏହି ଘଟଣାର ୫ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଯାହା ଫଳରେ ଚାଷୀ ମାନେ ଆଜିକି ୫ ବର୍ଷ ହେଲା କୌଣସି କୃଷି ଋଣର ସରକାରଙ୍କ ସୁବିଧା ପାଇପାରୁ ନାହାନ୍ତି। ଅନ୍ୟପକ୍ଷେ ଶ୍ରୀ ଦାସଙ୍କୁ ପୁଣି ଭବାନୀପାଟଣା ମୁଖ୍ୟ ସମବାୟ ସମିତିରେ କିଛି ମାସ ହେଲା ଚାକିରୀରେ ରଖା ଯାଇଥିବା ବେଳେ ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ସେହିପରି ତୀର୍ଥ ଗହୀର, ଅଶୋକ ପୁରୋହିତ, ଠଣ ସୁନ୍ଦର ସାହୁ, ଜିତେନ୍ଦ୍ର ସାହୁ, ସନ୍ନ୍ୟାସୀ ହିଆଲ, ସୁବାସ ହିଆଲ, କମଳ ବାତ୍ରା, ମୃତକ କ୍ଷୀରସିନ୍ଧୁ ମାଝୀ, ମୃତକ ମଧୁସୂଦନ ଡ଼ଣ୍ଡସେନା, ମୃତକ ମୁଙ୍ଗୁଲୁ ବଛା ଓ ମୃତକ କ୍ଷୀରସିନ୍ଧୁ ଭୋଇଙ୍କ ସହିତ ଅନ୍ୟ ଚାଷୀ ମାନଙ୍କ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଉକ୍ତ ସମବାୟ ସମିତିରେ ହେରଫେର ହୋଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in