✒️ପଞ୍ଚାନନ ଜାଲ (ସୌରଭ)
ଧାଡ଼ିଟିଏ ଆଜି ଲେଖି ପାରୁନାହିଁ
ଶବ୍ଦ ଦେଉନାହିଁ ଧରା
ଶବ୍ଦ ଶବ୍ଦ ବୋଲି ହନ୍ଦାଳି ହେଉଛି
ନିଦ ନାହିଁ ରାତିସାରା ।
ଯେଉଁ ମାଆ ମତେ ଜନମ କରିଲା
ଗର୍ଭେ ଧରି ଦଶମାସ
ତା’ ପାଇଁ କିଛି କରିପାରି ନାହିଁ
ହେଲାଣି ସତର ବରଷ ।
ଯାହା କୋଳେ ବଢ଼ି ଦେଖି ଆସିଅଛି
ସତମିଛ ଏ ଦୁନିଆକୁ
ହାତ ଧରି ଯିଏ ଚିହ୍ନାଇ ଦେଇଛି
ଏ ବିଶାଳ ସଂସାରକୁ ।
ମୋ ସବୁ ଅଭାବ ପୂରଣ କଲା ସେ
ନିଜେ ଦୁଃଖ କଷ୍ଟେ ଥାଇ
ଦିନରାତି ସବୁ ଏକ କରିଦେଲା
(ମତେ) ମଣିଷ କରିବା ପାଇଁ ।
ନିଜର ଅଶ୍ରୁକୁ ଥମାଇଥିଲା ସେ
ମୋର ଟିକେ ହସ ପାଇଁ
ମମତା ବନ୍ଧନେ ବାନ୍ଧି ଦେଇଥିଲା
ଦୁଃଖ ନ ଜାଣିବା ପାଇଁ ।
ମାଆ ପାଇଁ ଅବା କ’ଣ ମୁଁ ଲେଖିବି
କଲମ ମୋ’ ଚାଲୁନାହିଁ
ଯେତେ ଲେଖିଲେ ବି ଫିକା ପଡିଯିବ
ମାଆ ପଦଟିଏ ପାଇଁ ।