ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଏବଂ ଓଡ଼ିଶା ଶାଖା ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ‘ଫକୀରମୋହନ କବିତା’ ଶୀର୍ଷକ ନଭସଞ୍ଚାରୀ ଆଲୋଚନା ଚକ୍ର ଏବଂ ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି ସଭା ଅନୁଷ୍ଠିତ ହୋଇଥିଲା । ଫକୀରମୋହନ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଫକୀରମୋହନଙ୍କ ଅଣନାତୁଣୀ ଡ. ମନିକା ଦାସ ଫକୀରମୋହନ ଫାଉଣ୍ଡେସନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଫକୀରମୋହନଙ୍କ ଭାଷାସାହିତ୍ୟର ସଂଦୃଷ୍ଟି ତଥା ମାନବବାଦୀ ମୂଲ୍ୟବୋଧକୁ ବିଶ୍ବ ଦରବାରରେ ପ୍ରତିଷ୍ଠା କରିବାପାଇଁ କିଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି, ତାହା ଦର୍ଶାଇଛନ୍ତି । ଫକୀରମୋହନ ଫାଉଣ୍ଡେସନ ସର୍ବଦା ଯୁବପିଢିଙ୍କ ମଧ୍ୟରେ ମାତୃଭାଷା ପ୍ରୀତି ସୃଷ୍ଟି କରିବା ସହିତ ସାଂପ୍ରତିକ ସଙ୍କଟାପନ୍ନ ବିଶ୍ବରେ ଯୁବପିଢିର ଗୁରୁତ୍ବପୂର୍ଣ ଭୂମିକା ଦିଗରେ ମାର୍ଗଦର୍ଶନ କରିଥାଏ । ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ କର୍ମଶାଳା ତଥା ଜାତୀୟ, ଅନ୍ତର୍ଜାତୀୟ ସମ୍ପାନ ଆୟୋଜନ ପୂର୍ବକ ଯୁବପିଢିଙ୍କୁ ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ କ୍ଷେତ୍ରରେ କିପରି ଅଧିକ କାର୍ଯ୍ୟକ୍ଷମ କରାଇ ହେବ ସେ ଦିଗରେ ଫାଉଣ୍ଡେସନ କିଭଳି ଅହରହ ତତ୍ପରତା ପ୍ରକାଶ କରିଥାଏ, ସେ ବିଷୟରେ ଶ୍ରୀମତୀ ଦାସ ଆଲୋକପାତ କରିଥିଲେ । ଫକୀରମୋହନ ଫାଉଣ୍ଡେସନ ଓଡ଼ିଶା ଶାଖାର ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର ଏବଂ ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ଫାଉଣ୍ଡେସନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦେମୀ, ପୂର୍ବାଞ୍ଚଳ ପ୍ରୋଗ୍ରାମ ଅଫିସର ଡ. ମିହିର କୁମାର ସାହୁ । ସେ ତାଙ୍କ ଉଦ୍ଘାଟନୀ ଅଭିଭାଷଣରେ ଫକୀରମୋହନ କିଭଳି ସର୍ବଭାରତୀୟ ସ୍ତରରେ ଜଣେ ଅପ୍ରତିଦ୍ଵନ୍ଦୀ ଆଧୁନିକ କଥାକାର ତଥା କବି ସେ ବିଷୟରେ ସଦୃଷ୍ଟାନ୍ତ ପ୍ରମାଣ ଉପସ୍ଥାପନ କରିଥିଲେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାରର ପ୍ରଫେସର ଉଦୟନାଥ ସାହୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କ କବିତା କିଭଳି ଅଜସ୍ର କାରୁଣ୍ୟର ସ୍ବରଲିପି ତାହା ଦର୍ଶାଇଥିଲେ । ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ଫକୀରମୋହନଙ୍କ ଜୀବନ କିଭଳି ତାଙ୍କ କବିତାମାନଙ୍କର ଶବ୍ଦ ମଧ୍ୟରେ ବୁଣିହେଇ ପଡ଼ିଛି ସେ ବିଷୟରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଫକୀରମୋହନ କିଭଳି ଜଣେ ଦରଦ ଜର୍ଜର କବି ତାହା ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ।
ଗତ ଦଶ ତାରିଖରେ ଫାଉଣ୍ଡେସନ ତରଫରୁ ଆୟୋଜିତ ‘ଓଡିଆ ଢଗଢମାଳି ଓ କାନ୍ଦଣା ଗୀତ’ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଯଶସ୍ବିନୀ ସାହୁ, ଯୁଗ୍ମ ଦ୍ବିତୀୟ ହେଇଥିଲେ ସ୍ବର୍ଣ୍ଣପ୍ରଭା ଖଟୁଆ ଓ ଲିପ୍ସା ରାଉତ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ କିରଣ ବାଳା ସାହୁ ।
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି କରିଥିଲେ ଯଥାକ୍ରମେ ଗାଳ୍ପିକ ରବି ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂ, ଜ୍ଞାନୀ ଦେବାଶିଷ, ମଧୁସ୍ମିତା, ଯଶସ୍ବିନୀ, ବିକେଶ, ମିଲନ, ବୈଜୟନ୍ତୀ, ମୁନମୁନ୍, ଚନ୍ଦ୍ରିକା । ଏହି ଆବୃତ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଘମିତ୍ରା ଭଞ୍ଜ ଏବଂ ହୃଷିକେଶ ମହାଖୁଡ଼ । ଶେଷରେ ଡ. ମନିକା ଦାସଙ୍କ ଉଦଯାପନୀ ବକ୍ତବ୍ୟ ସହିତ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।