କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଗତ ବର୍ଷ କରୋନା କଟକଣା ଯୋଗୁଁ ବିଶ୍ୱକର୍ମା ପୂଜା ଏତେ ସରଗରମ ହୋଇପାରିନଥିଲା। କିନ୍ତୁ ଏହି ବର୍ଷ ବିଶ୍ୱକର୍ମା ପୂଜାକୁ ନେଇ କୋରାପୁଟ ସହର ଉତ୍ସବ ମୁଖର ହୋଇଅଛି। ସହରର ଗ୍ରାମ୍ୟ ଉନ୍ନୟନ ଏବଂ ପରିମଳ ବିଭାଗର ମେକାନିକାଲ ଶାଖା, ଜନ ସ୍ୱାସ୍ଥ୍ୟ ବିଭାଗ ଏବଂ ବିଦ୍ୟୁତ ବିଭାଗ ପ୍ରମୁଖ କେନ୍ଦ୍ରରେ ଆଜି ବିଶ୍ୱକର୍ମା ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳିଅଛି। ଏହି ପୂଜା କାର୍ଯ୍ୟରେ କର୍ମଚାରୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା। ସେହିପରି ଭାବେ ଜିଲ୍ଲାର ଅନେକ ଶିଳ୍ପ କେନ୍ଦ୍ର ଓ ଶିଳ୍ପୀମାନଙ୍କ ଦ୍ବାରା ଦେବଶିଳ୍ପୀଙ୍କ ପୂଜା ସୁରୁଖୁରୁରେ ସମାପନ ହୋଇଛି।