କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ୨୦୧୬ ମସିହା ଠାରୁ ଦୀର୍ଘ ୫ ବର୍ଷ ହେଲା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନେ ପାରିଶ୍ରମିକ ବୃଦ୍ଧି ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ମୋଟେ କର୍ଣ୍ଣପାତ କରୁନାହାନ୍ତି। ଏହି ସମୟ ଅବଧି ମଧ୍ୟରେ ଅନ୍ୟାନ୍ୟ ବର୍ଗର ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରାଯାଇଥିବାବେଳେ କନିଷ୍ଠ ଶିକ୍ଷକ ମାନଙ୍କୁ ଅଣଦେଖା କରାଯାଇଛି। ବର୍ତ୍ତମାନ ବଜାରର ଦର ଦାମ ହୁ ହୁ ହୋଇ ବଢି ଚାଲିଥିବାବେଳେ ମାସିକ ୬୫୧୨ ଟଙ୍କାର ଦରମାରେ ଜଣେ କନିଷ୍ଠ ଶିକ୍ଷକ କିପରି ପରିବାର ପ୍ରତିପୋଷଣ କରିବ? କନିଷ୍ଠ ଶିକ୍ଷକମାନେ ଅତି କୁଶଳୀ (ତାଲିମ ପ୍ରାପ୍ତ) ହୋଇଥିବାରୁ ଦରମା ସର୍ବନିମ୍ନ ୧୬ ହଜାର କରିବାସହ ଏହାକୁ ଗତ ୨୦୧୬ ମସିହାରୁ ଲାଗୁ କରିବା ପାଇଁ ସଂଘ ଦାବି କରିଛି।
ଏହି କ୍ରମରେ ନର୍ଲା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଇଓ ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ନର୍ଲା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମିଶ୍ର, ସାଧାରଣ ସମ୍ପାଦକ ସ୍ବରାଜ ସାମନ୍ତରାୟ, ମୁନିନ୍ଦ୍ର ବେହେରା, କାଜଲ ପ୍ରିୟଦର୍ଶିନୀ ଏବଂ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।