ଭବାନୀପାଟଣା: ଦୈନିକ ସମ୍ବାଦପତ୍ର ‘ସକାଳ’ ପକ୍ଷରୁ ଜିଲ୍ଲାସ୍ତରୀୟ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଅମଲା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ରାଜ୍ୟ ଶିକ୍ଷକ ନେତା ପ୍ରକୃତିବନ୍ଧୁ ପ୍ରଦୀପ ସାହୁ, ଅଧ୍ୟାପକ ଜୟଦେବ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପତିତ୍ୱ କରିଥିଲେ ସକାଳ ଜିଲ୍ଲା ପ୍ରତିନିଧି ସ୍ୱାଧୀନ ପାତ୍ର। ମଞ୍ଚ ସଂଚାଳନ କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା। ଧନ୍ୟବାଦ ଦେଇଥିଲେ ଶିକ୍ଷକ ଧନଞ୍ଜୟ ପାଣିଗ୍ରାହୀ। ଶିକ୍ଷକ ଧନଞ୍ଜୟ ସାହୁ ଓ ଭୃକୁଟି ଗଉଡ଼ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ପୁରସ୍କାର ବିତରଣରେ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ସହଯୋଗ କରିଥିଲେ।
ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ବିଷୟବସ୍ତୁ ଡ୍ରଗ୍ସ କବଳରେ ଯୁବପିଢି ଥିବା ବେଳେ ମାଧ୍ୟମିକ ସ୍ତରରେ ଶିକ୍ଷାର୍ଥୀ ମାନଙ୍କ ଉପରେ ଅନଲାଇନ ଶିକ୍ଷାର ସୁପ୍ରଭାବ ଓ କୁପ୍ରଭାଵ ଥିଲା। ମହାବିଦ୍ୟାଳୟ ସ୍ତରରେ ସଂସ୍କୃତଜ୍ଞ ଲିଙ୍ଗରାଜ ମିଶ୍ର, ଗବେଷକ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ତପନ ରଥ ବିଚାରକ ଥିବା ବେଳେ ମାଧ୍ୟମିକ ସ୍ତରରେ ଯୁବ ଗାଳ୍ପିକ ସୁଧୀର ଧଙ୍ଗଡାମାଝୀ, କବି ବିରଂଚି ମୁଣ୍ଡ, ଶିକ୍ଷକ ବିଜୟାନନ୍ଦ ହୋତା ବିଚାରକ ଥିଲେ। ଛାତ୍ର ଡିଲେଶ୍ୱର ସାହୁ, ବିରେନ୍ଦ୍ର ସାହୁ, ଲୀଳାମ୍ବର ସାହୁ ବରିଷ୍ଠ ବିଭାଗରେ ଏବଂ କନିଷ୍ଠ ବିଭାଗରେ ଆୟୁଷି ତ୍ରିପାଠୀ, ଅସ୍ମିନ ନିଶା, ଚିନ୍ମୟୀ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସୁକାନ୍ତ ମହାପାତ୍ର, ଚିତ୍ତ ବିଶି, ରଜତ ପଟ୍ଟନାୟକ, କବି ତ୍ରିନାଥ ଶ୍ୟାମ କୁମାର ପ୍ରମୁଖ ସହଯୋଗ କରିଥିଲେ।