ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ନୂତନ କର୍ମକର୍ତ୍ତା ଚୟନ

● ଟ୍ରେନ ରହଣି ଦାବୀ ନେଇ ରେଳରୋକୋ ପାଇଁ ସଜବାଜ

କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ନର୍ଲାରୋଡ ଦୁର୍ଗାମଣ୍ଡପ ଠାରେ ଏନେଇ ଏକ ବୈଠକ ସୁରକ୍ଷା ସମିତିର ପୂର୍ବତନ ସଭାପତି ରାମଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସବାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଁ ଦୀର୍ଘ ୬ ବର୍ଷ ଧରି ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ଭାରେ କାର୍ଯ୍ୟ କରିଆସିଛି । ବର୍ତମାନ ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ମୁଁ ଆଉ ସଭାପତି ଭାବରେ ରହି ସେବା ପ୍ରଦାନ କରିବା କଷ୍ଟକର ହୋଇପଡିଲାଣି ବୋଲି ସଭାପତି ଶ୍ରୀ ପରିଡା ଉପସ୍ଥିତ ସଦସ୍ୟ ଓ ଜନସାଧାରଣଙ୍କୁ କହିବା ପରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସର୍ବସମ୍ମତି କ୍ରମେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କୁ ମନୋନୀତ କରାଯାଇଥିଲା । ଦୁଇଜଣ ଉପସଭାପତି ଭାବରେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ଓ ବିନାୟକ ମହନ୍ତ । ସାଧାରଣ ସମ୍ପାଦକ ଭାବରେ ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ ସହ ସମ୍ପାଦକ ଭାବରେ ତୀର୍ଥ ବୁଦ୍ଧିଆ ଓ କୋଷାଧ୍ୟକ୍ଷ ଭାବରେ ପଦ୍ମଲୋଚନ ଜାଲଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏଥିରେ କାର୍ଯ୍ୟକାରୀ ସଦସ୍ୟ ଭାବରେ ନରସିଂହ ଥପା, ସମୀର ଚାନ୍ଦ, ଲିଙ୍ଗରାଜ ମିଶ୍ର, ସରୋଜ କୁମାର ମାଝୀ, ଅମର ରାଉତ, ଲୋକନାଥ ବିଶ୍ୱାଳ, କାହ୍ନୁ ମାଝୀ, ବାବୁଲା ରାଉତ, ଯୁଗେଶ ପୁଟେଲ, ବସନ୍ତ ମିଶ୍ର, ଅବଦୁଲ କରିମ ଏଭଳି ୧୧ ଜଣ ଓ ଉପଦେଷ୍ଟା ମଣ୍ଡଳୀରେ କୁମୁଦ ଚନ୍ଦ୍ର ନାଏକ, ପର୍ଶୁରାମ ପଣ୍ଡା, କୁବେର ସାହୁ, ଜାହରଲାଲ ବିଶ୍ୱାଳ, ଥବିର ବୁଦ୍ଧିଆ, ଗିରିଧାରୀ ଗଉଡ଼, ବିମଲ କୁମାର କେଡିଆ, ଶତ୍ରୁଘ୍ନ ସେନାପତି, ତୀର୍ଥ ପଧାନ, ସାଧୁରାମ ସରାଫ ପ୍ରମୁଖ ୧୨ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଥିଲା । ଏହାପରେ ନର୍ଲାରୋଡ ରେଳ ଷ୍ଟେସନରେ କରୋନା କଟକଣା ପୂର୍ବରୁ ରହଣି ରହିଆସିଥିବା ଟ୍ରେନ ଗୁଡିକ ଆଉ ଏବେ ରହଣୀ ଦିଆଯାଇନି ନର୍ଲା ବ୍ଲକ୍ ଅଧିନସ୍ଥ ନର୍ଲାରୋଡ ରେଳ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ର ରହଣୀ ରହିଥିଲା । ନର୍ଲାରୋଡ ତଥା ଆଖପାଖ ୧୫ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ୩୧ ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଖୋଲିବା ପରେ ଗତ ୨୦୨୦ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ, ରୁପ୍ରାରୋଡ ରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନାହିଁ । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଛି । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ, ରାୟପୁର ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ନର୍ଲାରୋଡ ରେଳ ଷ୍ଟେସନ ରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ ରହୁଛି ।

ଉପରୋକ୍ତ ଅତ୍ୟାବଶ୍ୟକ ଟ୍ରେନ ଗୁଡିକର ନର୍ଲାରୋଡ ଷ୍ଟେସନରେ ରହଣୀ ନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ୨୦୨୦ ଅକ୍ଟୋବର ରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜୀତ କୁମାର ସେଠ, ଏପରିକି ରେଳବାଇର ସର୍ବୋଚ୍ଚ ଅଧିକାରୀ ଙ୍କୁ ମଧ୍ୟ ଉପରୋକ୍ତ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ପାଇଁ ବିଭିନ୍ନ ସମୟରେ ଲିଖିତ ଭାବରେ ଦାବୀପତ୍ର ଦେଇଥିଲେ ମଧ୍ୟ ତାହା ଏଯାଏଁ ଫଳପ୍ରସୁ ହୋଇ ପାରିଲା ନାହିଁ । ଦୁର୍ଗାପୂଜା ପୂର୍ବରୁ ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରେଳରୋକ ଧାରଣା ନିମନ୍ତେ ଚେତାବନୀ ମଧ୍ୟ ଦିଆଯାଇଥିଲା । ଗତକାଲି ରବିବାର ନର୍ଲାରୋଡ ଧର୍ମଶାଳା ରେ ଅଞ୍ଚଳ ବାସୀଙ୍କୁ ନେଇ ଏଥିପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହେବାପରେ ଆସନ୍ତା ୧୫ ଦିନ ମଧ୍ୟରେ ସର୍ଗିଗୁଡା ରେଳବାଇ ଗେଟ ଫାଟକ ଲେବୁଲକ୍ରସିଂ ଠାରେ ରେଳ ଟ୍ରାକ ଉପରେ ଆଖପାଖ ୧୦ ଖଣ୍ଡ ଗ୍ରାମର ଜନ ସାଧାରଣ ଏକ୍ସପ୍ରେସ ଟ୍ରେନ ରହଣୀ ନିମନ୍ତେ ସ୍ୱୀକୃତି ନମିଳିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.