ହରେକୃଷ୍ଣ ଭୋଇଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଲିପ୍‌ସାମୟୀ ଦୁବେ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁ୍‌ଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଆୟୋଜିତ ହେବ । ଏହି ଅବସରରେ ବିଭିନ୍ନ ବିଭାଗରେ ଏବର୍ଷର ସମ୍ମାନ ଘୋଷଣା କରାଯାଇଛି । ବିଶିଷ୍ଟ ସଂସ୍କୃତିବିତ୍ ତଥା ସଂଗଠକ ହରେକୃଷ୍ଣ ଭୋଇଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବ । ନର୍ଲା ବ୍ଲକ୍ ମାଣ୍ଡେଲ ଗ୍ରାମରେ ଜନ୍ମିତ ଶ୍ରୀ ଭୋଇ ଜଣେ ସଂସ୍କୃତି ସଂଗଠକ ଭାବରେ ସାରା ଦେଶରେ ପରିଚିତ । ପୂର୍ବରୁ ସେ ସଂସ୍କାର ଭାରତୀର ଜିଲ୍ଲା ଓ ରାଜ୍ୟ ନେତୃତ୍ୱ ନେଇ ସଫଳ ହୋଇଥିବା ବେଳେ ସଂପ୍ରତି ସର୍ବଭାରତୀୟ ଲୋକକଳା ଟୋଲିର ସଦସ୍ୟ ଅଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସାମାଜିକ, ସାଂସ୍କୃତିକ, ଛାତ୍ର ସଂଗଠନରେ ମଧ୍ୟ ସେ ଅଗ୍ରଣୀ ଭୂମିକା ନେଇଛନ୍ତି । ବର୍ତ୍ତମାନ ସେ ଆକାଶବାଣୀ ଭବାନୀପାଟଣାରେ ହିନ୍ଦୀ ଅଧିକାରୀ ଭାବେ କାର୍ଯ୍ୟରତ । ସେହିପରି ଯୁବ ପର୍ବତାରୋହୀ, କବି ତଥା ଅଭିନେତ୍ରୀ ସୁଶ୍ରୀ ଲିପ୍‌ସାମୟୀ ଦୁବେଙ୍କୁ ଦେବଗିରି ଯୁବ ସମ୍ମାନ ପ୍ରଦାନ କରାଯିବ । ମଦନପୁର ରାମପୁର ନିବାସୀ ମିହିର କୁମାର ଦୁବେ ଓ ସୁଷମା ଦୁବେଙ୍କ ସୁପୁତ୍ରୀ ଲିପ୍‌ସା ହେଉଛନ୍ତି ରାଜ୍ୟର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ । ରାଜ୍ୟ ତଥା ଦେଶର ବିଭିନ୍ନ ପର୍ବତାରୋହଣ ଅଭିଯାନରେ ସାମିଲ ହୋଇ ସେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସାହିତ୍ୟ ଓ ଅଭିନୟରେ ବି ତାଙ୍କର ଦକ୍ଷତା ରହିଛି । ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହେବାସହ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି । ସଂପ୍ରତି ସେ କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ କଲେଜର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ହେବାକୁଥିବା ମହୋତ୍ସବରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ପାରଂପରିକ ଲୋକଗୀତ, ଲୋକନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.