ପରଲୋକରେ ବିଶିଷ୍ଟ କବି ଅଖିଳ ନାୟକ

କଳାହାଣ୍ଡି, ( ଲିଙ୍ଗରାଜ ମିଶ୍ର): ବିଶିଷ୍ଟ କବି, ଔପନ୍ୟାସିକ ତଥା ଅନୁବାଦକ ଅଖିଳ ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳେ କଟକ ସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା । ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଶ୍ରୀ ନାୟକଙ୍କର କବିତା ସଂକଳ ‘ଗୁଲିଖଟି’, ‘ଗାଧୁଆବେଳ’, ‘ଧୋବ ଫରଫର’, ‘ଧିକ୍‌’ ଓ ‘ଖେତପୁରାଣ’ ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଶୈଳୀର ସୂତ୍ରପାତ କରିଥିଲା । ତାଙ୍କ କବିତାରେ ସମାଜର ତଳ ସ୍ତରର ମଣିଷର ଦୁଃଖ ଓ ସଂଘାତର ଚିତ୍ର ଜୀବନ୍ତ ହୋଇଉଠିଥିଲା । ଖଟିଖିଆ ଓ ବିସ୍ଥାପିତ ମଣିଷ ପାଇଁ ସଂଗ୍ରାମର ଅସ୍ତ୍ର ଥିଲା ତାଙ୍କର କବିତା । ସେହିପରି ତାଙ୍କର ଉପନ୍ୟାସ ‘ଭେଦ’ ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ଦଳିତ ଉପନ୍ୟାସ, ଯାହା ଇଂରାଜୀରେ ଅନୁଦିତ ହୋଇ ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍ ଦ୍ୱାରା ପ୍ରକାଶିତ ହୋଇଥିଲା । ପରେ ତାହା ମାଲାୟଲମ୍ ସମେତ ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟତା ଲାଭ କରିଛି । ତାଙ୍କର ଏହି ଉପନ୍ୟାସ ଜିଏମ୍‌, ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହୋଇଛି । ତାଙ୍କର ଉପନ୍ୟାସ ‘ଅବୀଜା’ ଓ ଏକ ଅନୁଦିତ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । ସଂପ୍ରତି ସେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର ସାହିତ୍ୟିକ ଓ ସାହିତ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି । ଏବେ ତାଙ୍କ ମର ଶରୀର କଟକରୁ ତାଙ୍କ ପୈତୃକ ଗ୍ରାମ କଳାହାଣ୍ଡି ଜିଲ୍ଲାର ରଇନଗୁଡ଼ାକୁ ଅଣାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.