କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେଞ୍ଜ ଅଧିନରେ ଥିବା ଆମପାଣି ସେକ୍ସନ କୁଟରୁ ବିଟ ଫରେଷ୍ଟ ଗାର୍ଡ ଓ ପାରା ଫରେଷ୍ଟ କର୍ମଚାରୀଙ୍କୁ କିଛି ଅଜଣା ଦୁର୍ବୁତ୍ତ ଆକ୍ରମଣ କରିଥିବା ଆମପାଣି ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଆମପାଣି ଫରେଷ୍ଟ ସେକ୍ସନ କୁଟରୁ ବିଟର ଫରେଷ୍ଟ ଗାର୍ଡ ହରିଶଙ୍କର ଧରୁଆ ଓ ଅନ୍ୟ ଜଣେ ପାରା ଫରେଷ୍ଟ କର୍ମଚାରୀ କୃଷ୍ଣଚନ୍ଦ୍ର ମାଝୀ ଗତକାଲି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ କୁଟରୁ ବିଟକୁ ପେଟ୍ରୋଲିଂ ପାଇଁ ଯାଇଥିଲେ। ତେବେ ବର୍ଷା ଓ ସନ୍ଧ୍ୟା ହେବାରୁ ସେମାନେ ଫେରି ନପାରି ଗିରଳିମାଲ ଗାଁର ଜଣେ ଲୋକଙ୍କ ଘରେ ରାତ୍ରି ଯାପନ କରିଥିଲେ । ହେଲେ ରାତିରେ ୮/୧୦ ଜଣ ଅଜଣା ମୁଖାପିନ୍ଧା ଯୁବକ ଆସି ସେମାନଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିବା ସୋମବାର ଫରେଷ୍ଟ କର୍ମଚାରୀ ଆମପାଣି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏ ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି, ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି।