ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ହିଂସା ଦୂରୀକରଣ ଦିବସ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆଜି ‘ଆନ୍ତର୍ଜାତୀୟ ମହିଳା ହିଂସା ଦୂରୀକରଣ ଦିବସ’ ମହିଳା ସେଲ୍ ଓ ଏନସିସି ବାଳିକା ବିଭାଗର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଏନସିସି କ୍ୟାଡେଟମାନଙ୍କ ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାମାନେ ଉତ୍ସାହର ସହିତ ଆଜି ସକାଳେ ମହିଳା ହିଂସା ଦୂରୀକରଣ ସଂପର୍କରେ ସଚେତନତାର ବାର୍ତା ନେଇ ନଗର ପରିକ୍ରମା କରିଥିଲେ ।


ଏହି ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଭି.ଆର. ରତ୍ନଶ୍ରୀ କଲେଜ ପ୍ରାଙ୍ଗଣରୁ ଶୁଭାରମ୍ଭ କରିଥିବା ବେଳେ ଏନସିସି ବାଳକ ବିଭାଗ ଅଧିକାରୀ ଲେଫନାଂଟ ଉଦୟ କୁମାର ଓ ବାଳିକା ବିଭାଗର ଅଧିକାରୀ ସୁଶ୍ରୀ ଦମୟନ୍ତୀ ବାଗ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଉକ୍ତ ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମହିଳା ସେଲ୍‌’ର ଆବାହକ ଡ. ବବିଲତା ସରାଫ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭାରପ୍ର୍ରାପ୍ତ ଅଧ୍ୟକ୍ଷ ଡ. ରାମକୃଷ୍ଣ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଧ୍ୟାପକ ଡ. ପ୍ରସନ୍ନ କୁମାର ଗନ୍ତାୟତ, ମହିଳା ସେଲ’ ର ସଂଯୋଜିକା ଡ. ମାନସୀ ମହାନ୍ତି ଓ ଶ୍ରୀମତି ପ୍ରୀୟଦର୍ଶନୀ ବଳ, ସୁଶ୍ରୀ ଦୟମନ୍ତି ବାଗ, ଅଧ୍ୟାପିକା ଶ୍ରୀମତି କେଶବ କୁମାରୀ ଜାନୀ ପ୍ରମୁଖ ମଂଚାସୀନ ହୋଇଥିଲେ ।


ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସଂପର୍କରେ ମଂଚାସୀନ ଅତିଥିମାନେ ଆଲୋକପାତ କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀନିବାସ ଆଚାରୀ ସଭାକୁ ସମ୍ବୋଧନ କରିବା ସମୟରେ ‘ନାରୀ ସଶକ୍ତିକରଣ’ସଂପର୍କୀତ ଏକ କବିତା ପାଠ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଏନସିସି ଛାତ୍ରୀ ଭବାନୀ ମିଶ୍ର ଓ ମିତାଲୀ ସ୍ୱାଇଁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆରଡିସି କ୍ୟାମ୍ପ ପାଇଁ ମନୋନୀତ ହୋଇଥିବା ସୁଶ୍ରୀ ଶ୍ରାବଣୀ ଜାକାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏନସିସି ‘ବି’ ସାର୍ଟିଫିକେଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କ୍ୟାଡେଟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ସୁଶ୍ରୀ ଦମୟନ୍ତି ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.