ମଣ୍ଡିରେ କଟନୀ ଛଟନୀ ଓ ଅନିୟମିତତା ନେଇ ନେଇ ଚାଷୀ ଅସନ୍ତୋଷ: ରାସ୍ତାରେ ଧାନ ରଖି ତହସିଲଦାରଙ୍କୁ ଫେରାଦ

କେସିଙ୍ଗା, (ମଧୁସୂଦନ ଠାକୁର): କେତେକ ମିଲର୍ସ ଓ ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ମଣ୍ଡିରେ ଚାଷୀ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଧାନ କ୍ୱିଣ୍ଟାଲ ପ୍ରତି ୬ ରୁ ୭ କେଜି ମଣ୍ଡିରେ କଟା ଯାଉଛି ଏବଂ ମିଲରେ ୧୦କେଜି ଧାନ କାଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କନ୍ତେଶିରର ମଣ୍ଡି ଉପରେ ନିର୍ଭରଶୀଳ ଚାଷୀ। କଥା ସେତିକିରେ ସରୁନାହିଁ ଝୋଟି ବସ୍ତା ଦେବାରେ ପାତରଅନ୍ତର କରୁଛନ୍ତି ମଣ୍ଡିରେ ନିୟୋଜିତ ମିଲର୍ସ। ଏଇଠି ଦଲାଳ ମାନଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଛି। ଏମିତି ଅନେକ ଅଭିଯୋଗ ଆଣି ରାସ୍ତା ଉପରେ ଧାନବସ୍ତା ରଖି ତହସିଲଦାରଙ୍କ ପାଖରେ ଫେରାଦ ହୋଇଛନ୍ତି ସରପଞ୍ଚ ଜିତେନ୍ଦ୍ର ନାଥ ବ୍ରହ୍ମା। କେସିଙ୍ଗା ପେକ୍ସ ସମ୍ପାଦକ ଜିତେନ୍ଦ୍ର ମିଶ୍ରଙ୍କ ରିପୋର୍ଟ ଅନୁସାରେ ଡିସେମ୍ବର ୧୭, ୧୮ ଓ ୨୫ ତାରିଖ ୩ଦିନ ମଧ୍ୟରେ ୧୯୩୮କ୍ୱିଣ୍ଟାଲ ଧାନ କିଣା ଯାଇଛି। କିନ୍ତୁ କାନ୍ତେଶିର ଗ୍ରାମ ପଞ୍ଚାୟତରର ସରପଞ୍ଚ ଜିତେନ୍ଦ୍ର ନାଥ ବ୍ରହ୍ମା ଅଭିଯୋଗ କରିଛନ୍ତି ଯେ ଦଲାଲ ମାନେ ଟ୍ରାକ୍ଟର, ଟ୍ରକ ଯୋଗେ ଧାନ ଏହି ମଣ୍ଡିକୁ ଆଣିଥାନ୍ତି। ଦଲାଲ ମାନେ ମଣ୍ଡିରେ କାର୍ଯ୍ୟରତ ପେକ୍ସ କର୍ମଚାରୀଙ୍କ ସହ ସଲାସୁତୁରା ହୋଇ ଭିତିରିଆ ଭାବେ ରେଜିଷ୍ଟ୍ରେସନ କରି ସିଧାସଳଖ ମିଲ ମାଲିକଙ୍କ ନିକଟକୁ ନେଉଛନ୍ତି। ଏହି ମଣ୍ଡିରେ ୧୯୩୮କ୍ୱିଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରିଥିବାର ଜଣାପଡିଛି। କିନ୍ତୁ ଦଲାଲମାନେ ୫ହଜାରରୁ ଉର୍ଦ୍ଧ୍ବ କ୍ୱିଣ୍ଟାଲ ଧାନ ମିଲ ମାଲିକଙ୍କ ପାଖକୁ ନେଇଥିବାର ଅଭିଯୋଗ ହୋଇଛି। ଚାଷୀମାନେ ଜରି ବସ୍ତାରେ ଧାନ ମଣ୍ଡିକୁ ନେଲେ ସେହି ଧାନକୁ ମିଲ ମାଲିକ ମାନେ କ୍ରୟ କରୁ ନାହାନ୍ତି। କେବଳ ଝୋଟ ବସ୍ତାରେ ଆଣିଥିବା ଧାନକୁ ମିଲ ମାଲିକ ମାନେ କ୍ରୟ କରୁଛନ୍ତି। ଝୋଟ ବସ୍ତା ଚାଷୀଙ୍କୁ ମିଲମାଲିକ ଦେବାରେ ପାତର ଅନ୍ତର କରି ବସ୍ତା ପ୍ରତି ୩୦ଟଙ୍କା ଲେଖାଏଁ ଚାଷୀଙ୍କ ଠାରୁ ନେଉଛନ୍ତି। ଚାଷୀଙ୍କୁ ଝୋଟ ବସ୍ତା ଠିକ ଭାବେ ନ ଦେଇ ହାଇରାଣ ହରକତ କରାଯାଉଛି ବୋଲି ଅଭିଯୋଗ ହୋଇଛି।କେସିଙ୍ଗା ପେକ୍ସ ଅଧିନସ୍ଥ କନ୍ତେଶିର ଧାନ ମଣ୍ଡିରେ, ଦଲାଲ, ମିଲମାଳିକ ଓ ପେକ୍ସ କର୍ମଚାରୀଙ୍କ ସଲାସୁତୁରାରେ ଧାନ କିଣାବିକାକୁ ନେଇ ଚାଷୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ କନ୍ତେଶିର ସରପଞ୍ଚ ଓ ଚାଷୀମାନେ କେସିଙ୍ଗା ତହସିଲଦାର ଜ୍ୟୋର୍ତିରମୟ କର ଏବଂ ଆଇଆଇସି ଙ୍କ ନିକଟରେ ଅଭିଯୋଗ କରିଥିବାର ଜଣା ପଡିଛି। ଚାଷୀଙ୍କ ଅଭିଯୋଗକୁ ଭିତ୍ତିକରି କନ୍ତେଶିର ମଣ୍ଡିକୁ ତହସିଲଦାର ଗତ ରାତ୍ରିରେ ପରିଦର୍ଶନ କରିଥିଲେ। ସରପଞ୍ଚ ଓ ଚାଷୀଙ୍କ ସହିତ ଆଲୋଚନା ପରେ ମିଲର୍ସ ଧାନ ଉଠାଇଥିବା ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.