ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ରାଜ୍ୟ ସରକାର -ଓଜେୟୁ

● ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହୀଦ ହୋଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ଏବଂ ସାମ୍ବାଦିକଙ୍କ ବିଭିନ୍ନ ଦାବୀ ନେଇ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ଭବାନୀପାଟଣା: ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ନିହତ ହୋଇଛନ୍ତି ମ. ରାମପୁର ଥାନା ଅନ୍ତର୍ଗତ ମୋହନଗିରିର ସାମ୍ବାଦିକ ରୋହିତ ବିଶ୍ବାଳ । ଏହି ଘଟଣାକୁ ନେଇ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି । ଏହି ଘଟଣାକୁ ନେଇ ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଦିଆଯାଇଛି । ଓଜେୟୁ ସହ ଜଡ଼ିତ ସ୍ବର୍ଗତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ସ୍ମୃତିରେ ସଂଘ ପକ୍ଷରୁ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଓ ରୋହିତଙ୍କ ପରିବାରର ଉତ୍ତୋରତର ଉନ୍ନତି ତଥା କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସଂଘର ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜଙ୍କ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ ଉମାଶାଙ୍କର କର ଓ ସ୍ୱାଧୀନ ପାତ୍ର ମଞ୍ଚାସିନ ରହି ସହୀଦ ସାମ୍ବାଦିକଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ, ଧୂପଦୀପ ଦେଇ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହାପରେ ରୋହିତଙ୍କ ସ୍ମୃତି ଚାରଣ କରିବା ସହିତ ସାମ୍ବାଦିକମାନେ କିଭଳି ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେସମ୍ପର୍କରେ ଆଲୋକପାତ କାରାଯାଇଥିଲା । ଏହାପରେ ଓଜେୟୁ ସଂଘର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଗତ ରୋହିତ ବିଶ୍ବାଳଙ୍କ ପାରିବାର ବର୍ଗଙ୍କ ସ୍ୱାର୍ଥରେ ଓ ଓଡ଼ିଶାର ବିଭିନ୍ନ ଛପା, ବୈଦ୍ୟୁତିକ ତଥା ସାମାଜିକ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ୬ ଦଫା ବିଶିଷ୍ଟ ଦାବୀ ପତ୍ର ଉପସ୍ଥାପନା କରିଥିଲେ । ସ୍ବର୍ଗତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ସହିଦର ମାନ୍ୟତା ଦେବା, ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେବା ସହିତ ଦୁଇ ଛୁଆଙ୍କ ପାଠ ପଢ଼ା ଦାଇତ୍ୱ ସରକାର ବହନ କରିବା ଅନ୍ୟଥା ତାଙ୍କ ସ୍ତ୍ରୀଙ୍କୁ ଆଜୀବନ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯିବା, ଘଟଣାରେ ଆସୁଥିବା ଗଞ୍ଜେଇ ମାଫିଆ ଓ ଠିକାରଦାରଙ୍କୁ ତଦନ୍ତ ପରିଷର ଭୃକ୍ତ କରିବା, ସାମ୍ବାଦିକଙ୍କ ପରିବାରକୁ ଅନ୍ୟୁନ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଦାବୀ କରିଥିବା ବେଳେ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକ ସମୂହ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ବାସ୍ଥ୍ୟ ବିମାରାଶିକୁ ୧୦ ଲକ୍ଷକୁ ବୃଦ୍ଧି କରିବା ସହିତ ମୃତକ ପରିବାରକୁ ୪ ଲକ୍ଷ ଟଙ୍କାରୁ ବୃଦ୍ଧିକରି ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା, ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ ସମୟରେ ସାମ୍ବାଦିକମାନଙ୍କ କାର୍ଯ୍ୟବଳୀ ନେଇ ଆଦର୍ଶ ମାର୍ଗ ଦର୍ଶିକା କାର୍ଯ୍ୟବଳୀ (ଏସଓପି) ପ୍ରଣୟନ କରି ପ୍ରଶିକ୍ଷଣ ପ୍ରଦାନ କରିବା ଭଳି ଅନେକ ଦାବୀ ଉପସ୍ଥାପନା କରାଯାଇଥିଲା । ଏହି ସବୁ ଦାବୀ ପତ୍ରଗୁଡିକୁ ଆସନ୍ତା କାଲି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ପାଇଁ ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥିରୀକୃତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁ, କୋଷାଧ୍ୟକ୍ଷ ଅଭିରାମ ପ୍ରସାଦ ପଟ୍ଟନାୟକ, ନରେନ୍ଦ୍ର ଦାସ, ସଞ୍ଜୟ ବେହେରା, ଡୋଳାମଣି ସାହୁ, ଶରତ ଚନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗଡା ମାଝୀ, ରଜତ ପଟ୍ଟନାୟକ, ମଧୁସୂଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହୀଦ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.