● ଜାମପଡାରେ ହାତୀ ମୃତ୍ୟୁ ଘଟଣା, ବନବିଭାଗର ଛାନଭିନ ଆରମ୍ଭ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଜାମପଡା ଠାରେ ଆଜି ସକାଳୁ ଏକ ହାତୀ ମରି ପଡିଥିବା ଦେଖିବାକୁ ମିଳିଛି । ହାତୀ ମରି ପଡିଥିବା ଖବର ପାଇ ସ୍ଥାନୀୟ ଲୋକେ ସେହି ସ୍ଥାନରେ ରୁଣ୍ଡ ହୋଇ ହାତୀ ମୃତ୍ୟୁର କାରଣ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା । ହାତୀ ମରି ପଡିଥିବା ସ୍ଥାନର ଠିକ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ବିଦ୍ୟୁତ ଖୁଣ୍ଟ ଢଳି ପଡିଥିବା ଯୋଗୁଁ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳୁଛି । ଏଣୁ ବିଦ୍ୟୁତ ତାର ଯୋଗୁଁ ହାତୀ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଆଲୋଚନା ଏକ ପ୍ରକାର ଠିକ ବୋଲି ମଧ୍ୟ ଅନୁମେୟ ହେଉଛି । ଖବର ପାଇ ନର୍ଲା ରେଞ୍ଜର ଓ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳୁଛି । ହାତୀ ମୃତ୍ୟୁର କାରଣ ବିଷୟରେ ନର୍ଲା ବନପାଳ ଭବାନୀ ନାଏକଙ୍କ ମତାମତ ନେବାରୁ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ପରିଷ୍କାର ଜଣା ପଡିବ ବୋଲି କହିଛନ୍ତି ।