ଓଡ଼ିଆ ବାର୍ତ୍ତା/କୋକସରା (ହିରଣ୍ୟ ବେହେରା): ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟରଙ୍କ ନିକଟତର ହେବାକୁ ସାଙ୍ଗଠନିକ ସ୍ଥିତିକୁ ଅଧିକ ମଜଭୁତ କରୁଛନ୍ତି ତିନି ପ୍ରମୁଖ ଦଳ । ନିର୍ବାଚନ ସମିକ୍ଷା ସହ ଚାଲିଛି ମିଶ୍ରଣ ପର୍ବ । ସେହି କ୍ରମରେ ଆଜି କୋକସରା ବିଜେପି ପକ୍ଷରୁ ନିର୍ବାଚନୀ ସମୀକ୍ଷା ସାଙ୍ଗକୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୁସୁମଖୁଣ୍ଟି ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡିରୁ ଅନେକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କୋକସରା ଜୋନ୍ ର ପୂର୍ବତନ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ସୁଭଦ୍ରା ଭାଟି । ଆଜି ନିଜ ସମର୍ଥକଙ୍କ ସହ ସେ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ସହ ଭକ୍ତରାମ ଶବର, କୁମରମଣୀ ଶବର, ରତନ ଶବର, ଦୈତାରୀ ଭାଟି, ବେଣୁଧର ଶବର, ପୁରୁଷୋତ୍ତମ ପାଣିଗ୍ରାହୀ ଅନୁଷ୍ଠାନିକ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ଆଜିର ବୈଠକ ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର ସଂଯୋଜନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ପ୍ରଭାରୀ ଅଶୋକ ମିଶ୍ର, କଳାହାଣ୍ଡି ବିଜେପି ଉପ ସଭାପତି କାଳୀପ୍ରସାଦ ରାୟଗୁରୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିପଜ୍ୟୋତି ମୁଣ୍ଡଙ୍କ ସମେତ ୩ ଜିଲ୍ଲା ପରିଷଦ ଜୋନ୍ ର ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ଡା, ସନ୍ତୋଷ ମାଝୀ ଓ ପ୍ରତିମା ପୁଝାରି ଉପସ୍ଥିତ ରହିଥିଲେ ।