● ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ଲଢେଇ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ଏକଦା କଂଗ୍ରେସ ଟିକଟରେ ନର୍ଲା ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୁମରମଣି ଶବର ହାତ ଛାଡି ଏବେ ପଦ୍ମ ଧରିଛନ୍ତି । ଗତ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ଶବର ନିଜର ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ସେ ନର୍ଲା ଜୋନ୍-୨ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଶ୍ରୀ ରିନା ଭୋଇଙ୍କ ପାଇଁ ପ୍ରଚାର କରିଛନ୍ତି । ତିନି ଦଶନ୍ଧୀରୁ ଅଧିକ ସମୟଧରି ପ୍ରତ୍ୟକ୍ଷ ରାଜନୈତିକ ଅଭିଜ୍ଞତା ଥିବା କୁମରମଣୀଙ୍କ ଯୋଗଦାନ ହେତୁ ନର୍ଲା ବିଜେପି ଅଧିକ ସଶକ୍ତ ହେବ ଓ ତାହା ବିଶେଷକରି ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିନା ଭୋଇଙ୍କ ଲଢେଇରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏଥର ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଲଢେଇରେ ବିଜେପି ପକ୍ଷରୁ ରିନା ଭୋଇ ପ୍ରାର୍ଥୀ ଥିବାବେଳେ ବିଜେଡି ପକ୍ଷରୁ ହରିଶଙ୍କର ମାଝୀ ଓ କଂଗ୍ରେସ ପ୍ରାର୍ଥୀ ରୋଶନ ମାଝୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଓ ବିଜେପି ପ୍ରାର୍ଥୀନୀ ରିନା ଭୋଇଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।