ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ରହିଲା । ଗାଁ ଗଣ୍ଡାରେ ଜୋର୍ ଧରିଛି ନିର୍ବାଚନୀ ଆଲୋଚନା । କିଏ ଯୋଗ୍ୟ ପ୍ରାର୍ଥୀ ତାହାକୁ ନେଇ ଖଟିରେ ଚାଲିଛି ଅଙ୍କକଷା । ଏହାରି ଭିତରେ ବିଜେପି, ବିଜେଡି ଓ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିଜ ନିଜ ପ୍ରଚାର ଜୋରଦାର କରିଛନ୍ତି । ନର୍ଲା ଜୋନ୍-୨ ରେ ମଧ୍ୟ ନିର୍ବାଚନୀ ଉଷ୍ଣତା ଦେଖାଯାଇଛି । ୨୦୧୭ ନିର୍ବାଚନରେ ଏହି ଜୋନରୁ ବିଜେପି ପ୍ରାର୍ଥୀନୀ ଭାବେ ବିଜୟୀ ହୋଇଥିବା ସୁଶ୍ରୀ ରିନା ଭୋଇଙ୍କ ଉପରେ ଏଥର ମଧ୍ୟ ଆସ୍ଥା ପ୍ରକଟ କରିଛି ଦଳ । ରିନା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ଲଢେଇ କରୁଛନ୍ତି । ଇତି ମଧ୍ୟରେ ସେ ନର୍ଲା ଜିଲ୍ଲା ପରିଷଦ ଜୋନ୍ ନଂ-୨ ଅଧିନରେ ଥିବା ୧୦ଟି ଗ୍ରାମ ପଞ୍ଚାୟତ; ଶାନ୍ତପୁର, ବଡଧାରପୁର, ଉଲିକୁପା, ନିଶାଣପୁର, ଘଣ୍ଟମାଲ, ସରିଆଁ, ରାକ୍ସି, ଗାଡେବନ୍ଦ, କର୍ମେ ଗାଁ ଓ ରୁପ୍ରାରୋଡର ଗାଁ କୁ ଗାଁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ଗତ କିଛି ଦିନ ତଳେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ରିନା ଭୋଇଙ୍କ ପାଇଁ ପ୍ରଚାର କରିଥିଲେ । ବର୍ତମାନ ରିନାଙ୍କ ପାଇଁ ଗାଁ ଗାଁ ଯାଇ ପ୍ରଚାର କରୁଛନ୍ତି ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର । ଏହାସହ ପ୍ରଚାର ଆରମ୍ଭରୁ ରିନାଙ୍କ ସହ କଳାହାଣ୍ଡି ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହିରୋ ମହଲା ଏବଂ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି । ପ୍ରଚାର ସମୟରେ ଅଞ୍ଚଳର ଜନସାଧାରଣ ରିନା ଭୋଇଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି ।