ଟ୍ରକ-ବୋଲେରୋ ମୁହାଁ ମୁହିଁ ଧକ୍କା: ୪ ମୃତ, ୮ ଗୁରୁତର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତୁର୍ଲାଖମନ ଧାନ ମଣ୍ଡି ନିକଟରେ ସୋମବାର ମଧ୍ୟ ରାତ୍ରରେ ଏକ ବୋଲେରୋ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ୪ଜଣ ହେଲେ ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଶିଷକେଲା ଗ୍ରାମର ଯଜ୍ଞା ନାଗ (୩୫), ଖଇରମାଲ ଗାଁର ଚମ୍ପା ନାଗ (୩୮), ଶିଷକେଲା ଗାଁର ଶୁକନ ନାଗ (୬୨) ଓ କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ଅଧିନସ୍ଥ କେନ୍ଦୁବାହାଲି ଗ୍ରାମର ସୁଦାମ ସୁନା (୪୫) ।ସେହିପରି ଆହତ ବ୍ୟକ୍ତି ହେଲେ ମୁସ୍କାନା ସୁନା (୬), ମାଧୁରୀ ସୁନା (୧୮), ଷୋୖଭାଗିନୀ ହରପାଲ(୧୬), ଭକ୍ତ ନନ୍ଦ(୪୫), ବୁଡୁ ନାଗ(୫୦), ସୁନିତା କୁମାର (୧୭), ଶକ୍ତି କୁମାର (୨୫) ଓ ଯଦୁ ହରପାଳ (୫୦) । ଆହତ ବ୍ୟୁକ୍ତିମାନଙ୍କୁ ପ୍ରଥମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଅତି ଗୁରୁତର ହେବାରୁ ଆହତ ଆଠ ଜଣଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମଙ୍ଗଳବାର ମୃତ ବ୍ୟକ୍ତିମାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହା ଏକ ବରଯାତ୍ରୀ ବୋଲେରୋ ଗାଡି ଥିଲା । ନର୍ଲା ବ୍ଲକର ତିତକେଲା ଗ୍ରାମରୁ ବିବାହ କାର୍ଯ୍ୟକ୍ରମ ସାରି ନିଜ ଗ୍ରାମ ସଇଁତଲାକୁ ଫେରୁ ଥିବାବେଳେ ବୋଲେରୋ (ନମ୍ବର ଓଡ଼ି.ଓ.୩.ଏମ୍-୩୧୭୦) ସହିତ ନୂନମାଠ ଛକରୁ ଏମ୍.ରାମପୁର ଅଭିମୁଖେ ଯାଉଥିବା ଧାନ ବୋଝେଇ ଟ୍ରକ (ନମ୍ବର ସି.ଜି.୦୪-ଜି-୬୫୪୧) ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଆହତମାନେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.